ଜାନୁଆରୀ ୩୦ ସୁଦ୍ଧା ରାଜ୍ୟକୁ ମିଳିପାରେ କରୋନା ଟିକା; ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଚଳିତ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟକୁ କରୋନା ଟିକା ଆସିଯାଇପାରେ।, କେନ୍ଦ୍ର ସରକାର ଟିକା ଯୋଗାଇବା ମାତ୍ରେ ତତ୍‌କ୍ଷଣାତ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତ ବି ସରିଛି।

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟକୁ କରୋନା ଟିକା ଆସିଯାଇପାରେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। କେନ୍ଦ୍ର ସରକାର ଟିକା ଯୋଗାଇବା ମାତ୍ରେ ତତ୍‌କ୍ଷଣାତ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତ ବି ସରିଛି।

ଓଡ଼ିଶାକୁ ଟିକା କେବେ ଆସିବ ଓ ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କେତେ ଟିକା ମିଳିବ  ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। କରୋନା ଟୀକା କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ DCGI(ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍‌ ଇଣ୍ଡିଆ) ଅନୁମତି ଦେବା ପରେ ଦେଶ ସମେତ ରାଜ୍ୟବାସୀଙ୍କ ମନରେ ମଧ୍ୟ ଉତ୍କଣ୍ଠା ପ୍ରକାଶ ପାଇଛି।

ଗୋଟିଏ ପଟେ ଟିକା ପ୍ରସ୍ତୁତ, ଅନ୍ୟପଟେ ଟିକାକରଣ ପାଇଁ ବି ଡ୍ରାଏ ରନ୍ ସହ ସବୁ ପ୍ରକାର ପ୍ରସ୍ତୁତି ସରିଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି। ଏବେ ସୁଦ୍ଧା ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଚୂଡ଼ାନ୍ତ ହୋଇଛି।

ଏନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, କେନ୍ଦ୍ରରୁ ଟିକା ସପ୍ଲାଏ ଆରମ୍ଭ ହେଲେ, ରାଜ୍ୟ ସରକାର ତୁରନ୍ତ ଟିକାକରଣ ବ୍ୟବସ୍ଥା କରିବେ। ଟୀକା ପହଞ୍ଚିବାର ଦିନେ ଦୁଇଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସଲଡ୍ ଟିକା ବ୍ୟବହାର କରାଯିବ।

ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଭିତ୍ତିରେ ଓଡ଼ିଶାକୁ ଟିକା ଯୋଗାଣ ନେଇ ସେରମ୍ ଇନଷ୍ଟିଚ୍ୟାୁଟ୍ ସିଇଓ ଅଦର ପୁନାଓ୍ୱାଲାଙ୍କ ସହ କଥା ହୋଇଥିଲେ। ଚଳିତ ମାସ ୩୦ ତାରିଖ ସୁଦ୍ଧା କୋଭିଡ୍ ଟିକା ଆସିବାର ସମ୍ଭାବନା ରହିଛି। ଏନେଇ କେନ୍ଦ୍ର ସରକାରଙ୍କ ସହିତ କଥାବାର୍ତ୍ତା ଚାଲିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ଫାଇଜର୍ ପରେ ବ୍ରିଟେନ୍‌ରେ ଆଜିଠାରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା ଦିଆଯାଇଛି। ଜଣେ ୮୨ ବର୍ଷିୟ ଡାଏଲିସିସ୍ ରୋଗୀଙ୍କୁ ପ୍ରଥମ ଟିକା ମିଳିଛି। ଏପଟେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଗତକାଲି କୋଭିସିଲ୍ଡକୁ DCGIର ଗ୍ରୀନ୍ ସିଗ୍ନାଲ୍ ମିଳିବା ପରେ ଆଜି ଏହାର ଉତ୍ପାଦନ ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି।

ସେପଟେ କୋଭିସିଲ୍ଡ ଟୀକାକୁ ଯଦି ଘରୋଇ ଭାବେ ବିକ୍ରି ପାଇଁ ଅନୁମତି ମିଳେ, ତେବେ ଡୋଜ୍ ପିଛା ଏହାର ଦାମ୍ ହଜାରେ ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି CII ମୁଖ୍ୟ ଅଦର ପୁନାଓ୍ୱାଲା। କରୋନା ଭ୍ୟାକ୍ସିନ୍‌ର ବୁଷ୍ଟର ଡୋଜ୍ ନେବାକୁ ପଡୁଥିବାରୁ ଦୁଇଟି ଡୋଜ୍‌କୁ ୨ ହଜାର ଟଙ୍କା ପଡ଼ିବ।

ସେପଟେ ଘରୋଇ ଭାବେ ଟିକା ବିକ୍ରି ନେଇ DCGIର କୌଣସି ଗାଇଡଲାଇନ୍ ଆସି ନାହିଁ। ଗାଇଡାଲାଇନ୍ ଆସିବା ପରେ ହିଁ ଘରୋଇ ବଜାରରେ ବିକ୍ରି ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ଡ୍ରଗସ୍ କଣ୍ଟୋଲର୍ ଅନଦା ଶଙ୍କର ଦାଶ କହିଛନ୍ତି।

କରୋନା ଟିକା ମିଳିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ ଟିକା ତା ପ୍ରୋସିଡ୍ୟୁୟରେ ଆସିବ। ସରକାରଙ୍କ ସହିତ ଟିକାର ମୂଲ୍ୟ ଓ ପରିମାଣ ନେଇ ଏଗ୍ରିମେଣ୍ଟ ହେଲେ ଟିକା ଆସିବ ବୋଲି ସେ କହିଛନ୍ତି।

ଏବେ ସମସ୍ତେ ଟିକାକୁ ଅପେକ୍ଷା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଓ କୋଭିଡ୍ ଯୋଦ୍ଧାଙ୍କ ଡାଟା ପ୍ରସ୍ତୁତ କରାଯିବ।

କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲଡ୍ ମଧ୍ୟରେ ପାର୍ଥକ କ’ଣ?

WHO ଓଡ଼ିଶା ମୁଖ୍ୟ ନିହାର ରଞ୍ଜନ ରାୟ

ଦୁଇଟି କରୋନା ଟିକାକୁ DCGI ଅନୁମତି ଦେବା ପରେ ଦୁଇ ଟିକା ମଧ୍ୟରେ କଣ ପାର୍ଥକ୍ୟ ରହିଛି ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ମୁଖ୍ୟ ନିହାର ରଞ୍ଜନ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୁଇଟି ଟିକା ମଧ୍ୟରେ ତଫାତ କେତେ ଏଯାଏଁ ଜଣାପଡ଼ିନି। ତେବେ ରୋଗ ପ୍ରତିରୋଧ କ୍ଷେତ୍ରରେ କୋଭିସିଲଡ୍ ୭୦ରୁ ୭୫ ପ୍ରତିଶତ ସଫଳ ହେବ। କୌଣସି କମ୍ପାନୀ WHO ପାଖରେ ଡାଟା ସବ୍‌ମିଟ କଲେ ସେମାନେ ଏହାର ପ୍ରତିକ୍ରିୟା ଦେବେ। ତେବେ ଏଥିପାଇଁ ସର୍ଭିଲାନ୍ସ ଚାଲିଛି ବୋଲି ନିହାର କହିଛନ୍ତି।

You might also like