ଟିକା ନନେଇ ମଧ୍ୟ ମୋବାଇଲ୍କୁ ମେସେଜ୍ ଆସିଲା ଅଭିନନ୍ଦନ !
ପୁରୀ: କରୋନା ଟିକା ନ ନେଇ ମଧ୍ୟ ଜଣେ କୋଭିଡ୍ ଯୋଦ୍ଧାଙ୍କ ନିକଟକୁ ଅଭିନନ୍ଦନର ବାର୍ତ୍ତା ଅର୍ଥାତ୍ ଅଭିନନ୍ଦନ ମେସେଜ୍ ମୋବାଇଲ୍କୁ ଆସିଛି। ପୁରୀରୁ ଏଭଳି ଅଭିଯୋଗ ଆସିଛି। ପୁରୀର ପଙ୍କଜିନୀ ସ୍ୱାଇଁ ନାମକ ଜଣେ ସ୍ୱାସ୍ଥ୍ୟକର୍ମୀ ଏଭଳି ଅଭିଯୋଗ ଆଣିଛନ୍ତି।
ପଙ୍କଜିନୀଙ୍କୁ କରୋନା ଟିକା ମିଳିନାହିଁ। ହେଲେ ସେ ଟିକା ନେଇଥିବା ନେଇ ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଅଭିନନ୍ଦନ ମେସେଜ୍ ଆସିଛି। ତାଙ୍କୁ ମିଶାଇ ଆଉ ୨ଜଣଙ୍କୁ ମଧ୍ୟ ଏଭଳି ମେସେଜ୍ ଆସିଥିବା ସେ କହିଛନ୍ତି।
ଏହି ଘଟଣାକୁ ନେଇ ପଙ୍କଜିନୀ କହିଛନ୍ତି, ‘କାଲି ସନ୍ଧ୍ୟାରେ ମୋ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ମୁଁ ଭାବିଲି ଟିକା ନେବା ପାଇଁ ହୁଏତ ମେସେଜ୍ ଆସିଛି। ହେଲେ ମେସେଜ୍ ଦେଖିଲା ପରେ ଜାଣିବାକୁ ପାଇଲି ଯେ, ମୁଁ ୬ଟା ୪୦ରେ ଟିକା ନେଇଥିବା କଥା ଲେଖା ଯାଇଛି। ମେସେଜ୍ରେ ଦିଆଯାଇଥିବା ନମ୍ବରରେ ମୁଁ ଯୋଗାଯୋଗ କରିଥିଲି। ଭୁଲ୍ରେ ଏମେସେଜ୍ ପଳାଇ ଯାଇଛି ଓ ଆପଣ ଆସି ଟିକା ନେଇ ଯାଆନ୍ତୁ ବୋଲି ମୋତେ କୁହାଯାଇଥିଲା। ଖାଲି ମୋ ପାଖକୁ ନୁହେଁ ଆମ ୩ଜଣଙ୍କ ପାଖକୁ ଏମିତି ମେସେଜ୍ ଆସିଛି।
ସୂଚନାଥାଉ କି, ପଙ୍କଜିନୀ ସ୍ୱାସ୍ଥ୍ୟକର୍ମୀ ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ ହେଲ୍ଥ ସେଣ୍ଟରେ ଚାକିରି କରୁଥିଲେ। ଏହା ତାଙ୍କର ଅସ୍ଥାୟୀ ଚାକିରି ଥିଲା। ଗତ ୩୧ ତାରିଖରୁ ତାଙ୍କ ଚାକିରି ଶେଷ ହୋଇଯାଇଛି।
ଅନ୍ୟପକ୍ଷରେ କିଭଳି ଭାରବେ ୩ ଜଣଙ୍କ ପାଖକୁ ଏମିତି ଭୁଲ୍ରେ ମେସେଜ୍ ପଳାଇ ଆସିଛି ବୋଲି ପଙ୍କଜିନୀ ପ୍ରଶ୍ନ କରିଛନ୍ତି। ସାରା ଦେଶରେ ଟିକାକରଣ ଚାଲି ଥିବାବେଳେ ପୁରୀରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ପ୍ରଦାନ କରାଯାଉଛି। ମାତ୍ର ଟିକା ପ୍ରଦାନରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି। ହେଲେ ଏବେ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି। ବର୍ତ୍ତମାନ ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।