• translate
Chandan Shishu

ଭୁବନେଶ୍ୱର: ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ। କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ ହେବ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ ରଖିଛନ୍ତି ସରକାର। ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲିଟିରେ କ୍ୟାମ୍ପେନ ମୋଡ଼ରେ ଟୀକା କରଣ କରାଯିବ। ରାଜ୍ୟ ଆଣିଥିବା ଏବଂ କେନ୍ଦ୍ର ସରକାର ଯୋଗାଇଥିବା ଟିକା, ଲୋକମାନଙ୍କୁ ଦିଆଯିବ।

ଟିକାକରଣ ପାଇଁ ପ୍ରତ୍ୟେକ ବ୍ଲକ ଓ ଏନଏସିରେ ୫ ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଏବଂ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅନସାଇଟ୍ ପଞ୍ଜୀକରଣ ସହ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ଏଥିସହ ଠିକ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତାକାଲିଠାରୁ ୨ହଜାର ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯିବ। ବର୍ତ୍ତମାନ ୧୦ଲକ୍ଷ କୋଭିସିଲଡ ଏବଂ ୪ ଲକ୍ଷ କୋଭାକ୍ସିନ ମହଜୁଦ ରହିଛି। ଉଭୟ ୫୦ ପ୍ରତିଶତ ଅନଲାଇନ୍ ଓ ୫୦ ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ଟିକାକରଣ କରାଯିବ।

ସେପଟେ ଭୟ ଓ ଗୁଜବରୁ କିଛି ଉପାନ୍ତ ଅଞ୍ଚଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେବା ଚିନ୍ତା ବଢ଼ାଇଛି।  କେନ୍ଦୁଝର ବାଂଶପାଳ ବ୍ଲକ୍ ବେଣିଡାହି ଗାଁ ଟିକା ନେଲେ ଜ୍ୱର ହୋଇ ଲୋକେ ପ୍ରାଣ ହରାଉଥିବାର ଗୁଜବକୁ ନେଇ ଭୟ ଏମିତି ଗ୍ରାସିଛି ଯେ ଟିକା ନା ଶୁଣିଲେ ଲୋକେ ଲୁଚୁଛନ୍ତି।

ନବରଙ୍ଗପୁର ଜିଲ୍ଲା ନେହୁରା ପଞ୍ଚାୟତରେ ବି ସମାନ ସ୍ଥିତି। ତେଣୁ ଲୋକଙ୍କ ସଚେତନ କରିବାକୁ ଚାଲିଛି ଶୋଭାଯାତ୍ରା। ସ୍ଥାନୀୟ ଲୋକପ୍ରତିନିଧିଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନଓ୍ୱାଡି ଓ ଆଶା କର୍ମୀ ଘର ଘର ବୁଲି ଲୋକଙ୍କୁ ବୁଝାଇବା ସହ କୋଭିଡ୍ ପରୀକ୍ଷା ସାଙ୍ଗକୁ ଟିକା ନେବାକୁ ପ୍ରବର୍ତ୍ତାଉଛନ୍ତି।

ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ଉପରେ ଫୋକସ୍ ଦିଆଯାଉଥିଲା ବେଳେ, ଟିକା ପାଇଁ ଅମଙ୍ଗ ଲୋକଙ୍କୁ ରାଜି କରାଇବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Other Stories