କରୋନା ବଢାଇଲା ଚିନ୍ତା, ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇଲେ ସରକାର

ଗଂଜାମ ଦଣ୍ଡନାଚରେ ମାତ୍ର ୨୫ ଦଣ୍ଡୁଆଙ୍କୁ ମିଳିବ ଅନୁମତି

  • ରାଜ୍ୟରେ ଫେରିଲା ନାଇଟ୍ କର୍ଫ୍ୟୁ
  • ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ସୋମବାରଠୁ ନାଇଟ୍ କର୍ଫ୍ୟୁ
  • ମାଇକ୍ରୋ କଣ୍ଟେନମେଣ୍ଟରେ ଫୁଲବାଣୀର ୨ଟି ଓ କଳାହାଣ୍ଡିର ଲିମସେର ଗାଁ ହେଲା ସାମିଲ୍‌
  • ଗଂଜାମ ଦଣ୍ଡନାଚରେ ମାତ୍ର ୨୫ ଦଣ୍ଡୁଆଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ଛତିଶଗଡ଼ ପଟୁ ମାଡ଼ି ଆସୁଥିବା ମହାମାରୀକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ଆସନ୍ତା ସୋମବାରଠୁ ଲାଗୁ ହେବ ରାତ୍ରି କାଳୀନ କର୍ଫ୍ୟୁ। ରାତି ୧୦ରୁ ସକାଳ ୫ଟା ଯାଏଁ ଜାରି ରହିବ କଟକଣା। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ କାହାରିକୁ ଯାଆସ ପାଇଁ ଅନୁମତି ମିଳିବନି। ସେପଟେ ଛତିଶଗଡ଼ ଷ୍ଟ୍ରେନ୍ କେତେ ମାରାତ୍ମକ ତାହା ଜାଣିବାକୁ ସମୀକ୍ଷା ଚାଲିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏଣେ ଗଂଜାମ ଜିଲ୍ଲା ପ୍ରଶାସନ ବି ଦଣ୍ଡନାଚ କଟକଣାକୁ ଆହୁରି କଡ଼ା କରିଛି।

ରାଜ୍ୟକୁ ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ…
ବେକାବୁ ସଂକ୍ରମଣରେ ବ୍ରେକ୍ ଦେବାକୁ ତତ୍କାଳ ଅସ୍ତ୍ର….
ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ….

ଛତିଶଗଡ଼ ସୀମାକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଆସନ୍ତା ୫ ତାରିଖଠୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ବଳବତ୍ତର ରହିବ ରାତ୍ରୀକାଳୀନ କଟକଣା। ସେଠି କରୋନାର କାୟା ବୃଦ୍ଧି ଦେଖି ରାଜ୍ୟ ସରକାର ନେଇଛନ୍ତି ତତ୍କାଳ ନିଷ୍ପତ୍ତି। ନାଇଟ୍ କର୍ଫ୍ୟୁବେଳେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କି ଅଫିସ୍ ଖୋଲିବନି ବୋଲି ସୂଚନା ମିଳିଛି। କେବଳ ଜରୁରୀକାଳୀନ କାର୍ଯ୍ୟକଳାପ ଛାଡ଼ି ଅନ୍ୟ ସମସ୍ତ ଯାତାୟତ ଉପରେ ବି କଡ଼ା କଟକଣା ଲାଗିବ। ମେଡିକାଲ ଓ ଏମରଜେନ୍ସି କାମରେ ଯିବାକୁ କିନ୍ତୁ ଅନୁମତି ମିଳିବ। ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ବି ଅନୁମତି ମିଳିବ। ଏହାସହ ଶିଳ୍ପ କାରଖାନା ଖୋଲା ରହିବ। ଆଇଟି ଓ ଗଣମାଧ୍ୟମ କର୍ମଚାରୀ ପରିଚୟପତ୍ର ଦେଖାଇ ଯାଆସ କରି ପାରିବେ।

ସେପଟେ ରାଜ୍ୟରେ ଆଜି କିଛି ସ୍ଥାନରେ ଲକଡାଉନ ଓ ସଟଡାଉନ୍ ସ୍ଥିତି ବି ଫେରିଛି। ୯ ଆକ୍ରାନ୍ତ ଚିହ୍ନଟ ପରେ ଫୁଲବାଣୀର ଡାକପାଳ ଗାଁର ସ୍କୁଲ ସାହି ଓ ମାଷ୍ଟରପଡ଼ାରେ ୫ଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ସେଠାରେ ଆତଯାତ ସଂପୂର୍ଣ୍ଣ ବାରଣ କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲାର ଲିମସେର ଗାଁକୁ ୮ ତାରିଖ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଠି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ସହ ୬ଜଣ ସଂକ୍ରମିତ ହେବା ପରେ ବୃନ୍ଦାବାହଲ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି।

ସେହିପରି ଗଂଜାମରେ କୋଭିଡ୍ ସଂକ୍ରମଣ ରୋକିବାକୁ ବି ଜିଲ୍ଲା ପ୍ରଶାସନ ନିୟମ ଆହୁରି କଡ଼ା କରିଛି। ଏବେ ଗାଁ ଗାଁରେ ଚାଲିଥିବା ଦଣ୍ଡ ନାଚରେ ଶହ ଶହ ଲୋକଙ୍କ ଏକତ୍ରୀକରଣ ରୋକିବାକୁ ନେଇଛି ନୂଆ ନିଷ୍ପତ୍ତି। ଦଣ୍ଡନାଚରେ ମାତ୍ର ୨୫ ଜଣ ଦଣ୍ଡୁଆଙ୍କୁ ହିଁ ଅନୁମତି ଦେଇଛି ପ୍ରଶାସନ। ତାସହ ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ତେଣେ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ଶହ ଉପରେ ରହିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୪୫୨ ନୂଆ ମାମଲା ସାମ୍ନାକୁ ଆସିଛି। ଖୋର୍ଦ୍ଧାରୁ ସର୍ବାଧତ୍କ ୭୭ ଆକ୍ରାନ୍ତ ଥିବାବେଳେ ସୁନ୍ଦରଗଡ଼ରୁ ୭୫ ଓ ନୂଆପଡ଼ାରୁ ୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍ ୨ ହଜାର ୮୨୦ ରହିଛି। ବଡ଼କଥା ହେଲା ଏପ୍ରିଲ ଆରମ୍ଭରୁ ୩ଦିନ ଭିତରେ ୧୩୦୭ ନୂଆ ରୋଗୀ ଚିହ୍ନଟ ହେଲେଣି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସରକାର ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ସବୁ ହସ୍ପିଟାଲମାନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଛତିଶଗଡ଼ରେ ଆଜି ୪ ହଜାର ୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ ସହ ଦୈନିକ ସଂକ୍ରମଣ ୪ହଜାର ଟ୍ରେଣ୍ଡରେ ରହୁଥିବାରୁ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି। ସୀମାନ୍ତ ଜିଲ୍ଲା ମାନଙ୍କରେ ଦୃତ ସଂକ୍ରମଣକୁ ଦେଖି ଛତିଶଗଡ଼ ଷ୍ଟ୍ରେନର ଅସଲ ରୂପ ଜାଣିବାକୁ ସମୀକ୍ଷା ଚାଲିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

You might also like