ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ସମୟାନୁସାରେ ରୋଗୀଙ୍କୁ ଅକ୍ସିଜେନ-ଔଷଧ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଭିନ୍ନ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ତଥାପି ସ୍ଥିତି ନିୟନ୍ତ୍ରଣ ବାହାରେ ଥିବା ଭଳି ଦେଖାଯାଉଛି।

ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସେଥିରେ ସେ ସମୟାନୁସାରେ କରୋନା ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଓ ଆବଶ୍ୟକୀୟ ଔଷଧ ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଅକ୍ସିଜେନ ଯୋଗାଣ ପ୍ଲାନ ଯେଭଳି ସଠିକ ଭାବେ ପରିଚାଳନା ହେଉଛି ସେନେଇ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ଖାଲି ସେତିକି ନୁହେଁ ରୋଗୀଙ୍କୁ ଜରୁରୀ ଔଷଧ ଯୋଗାଣକୁ ନିଶ୍ଚିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ଅହୁରି କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଯାହା ପ୍ରମାଣିତ କରୁଛି, କରୋନାର ଏହି ଦ୍ୱିତୀୟ ଲହର ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ। ତେଣୁ ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। କରୋନା ସହ ଲଢ଼େଇ ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ହେବ। କରୋନା କହରକୁ ଟାଳିବାକୁ ହେଲେ ସମସ୍ତଙ୍କୁ ନିୟମ ମାନି ଚଳିବାକୁ ପଡ଼ିବ। କୋଭିଡ ଗାଇଡଲାଇନ୍ସ ଅନୁସାରେ ସମସ୍ତଙ୍କୁ ଚାଲିବା ହେବ।

ଏହି ବୈଠକରେ ପୁଣି ଥରେ ସେହି ପୁରୁଣା କଥାକୁ ମଧ୍ୟ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ଏହି ବିପଦରୁ ରକ୍ଷା କରିପାରିବ। ତେଣୁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ। ଗୋଟିଏ ସଂକ୍ରମଣ କମିଲେ ଡାକ୍ତରଖାନାରେ ଗୋଟିଏ ବେଡ୍ କିମ୍ବା ଗୋଟିଏ ICU ବଳିବ। ତେଣୁ ସଂକ୍ରମଣ କମାଇବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଖାଲି ସେତିକି ନୁହେଁ ଜିଲ୍ଲାଗୁଡ଼ିକର ସ୍ଥିତି ଦେଖି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ବୈଠକରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଏହାକୁ ମନିଟରିଂ କରିବେ। ଯେଉଁଠି ତ୍ରୁଟି ବିଚ୍ୟୁତି ଥିବ, ଉକ୍ତ ବିଭାଗ ସେସବୁ ଦୂର କରିବ। ସବୁବେଳେ ଅତି ଦୁଃସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏହା ହିଁ ମୂଳମନ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୋମବାର ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା । ଏହି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭କୁ ବୃଦ୍ଧି ପାଇଛି।

You might also like