ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ଏହିସବୁ ପର୍ବ ପାଳନ ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ପର୍ବପର୍ବାଣୀ ପାଳନ ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଲଗାଇଛନ୍ତି।

ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ପାଳନ ଉପରେ କଟକଣା ଲଗା ଯାଇଛି। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର, ଚର୍ଚ୍ଚରେ ନୀତି ପାଳନ କରାଯାଇପାରିବ ବୋଲି କୁହଯାଇଛି। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ, କମିଶନର ଆବଶ୍ୟକ କଟକଣା ଲଗାଇବେ। ଏହାସହ କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ସେନେଇ ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ ବୋଲି କୁହାଯାଇଛି।

ଏହାସହ ଉତ୍କଳ ଦିବସ ସମାରୋହରେ ମଧ୍ୟ ଅଧିକ ଗହଳିକୁ ବାରଣ କରାଯାଇଛି। କୋଭିଡ୍ ଗାଇଡଲାଇନ୍ ପାଳନ ସହିତ ଉତ୍କଳ ଦିବସ ସଭାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ ବୋଲି SRC କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like