ଲକ୍‌ଡାଉନ୍‌ ପରେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ ଓଡ଼ିଆ: ଘରକୁ ନୁହେଁ ସିଧା ଯିବେ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ।
ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟିନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି। ଯାହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ସେପଟେ ବର୍ତ୍ତମାନ ସମୟରେ ବାହାର ରାଜ୍ୟରୁ ଓଡ଼ିଆଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ସାଂଘାତିକ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ମଝିରେ ମାତ୍ର ୧୦ ଦିନ। ମେ ୩ ତାରିଖରେରେ ଲକ୍‌ଡାଉନ୍ ସରିଲେ ଓଡ଼ିଶା ଫେରିପାରନ୍ତି ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ।

ହେଲେ ଗାଁକୁ ଫେରିଲେ ଘରକୁ ନୁହେଁ, ସିଧା ଯିବେ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରକୁ। ଯେଉଁଠି ୧୪ଦିନ ସଂଗରୋଧ ଭାବେ ରହିବେ। କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ନମୁନା ପଠାଯିବ। ରିପୋର୍ଟ ପଜିଟିଭ୍ ଆସିଲେ ଯିବେ କୋଭିଡ୍ ମେଡିକାଲ। କ୍ୱାରେଣ୍ଟାଇନ୍ ସେଣ୍ଟର ରୂପେ ବିଭିନ୍ନ ଜିଲ୍ଲାର ପଞ୍ଚାୟତେର ତିଆରି ହେଉଛି କ୍ୱାରେଣ୍ଟାଇନ୍ ସେଣ୍ଟର।

ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତର ସ୍ଥାନୀୟ ସ୍କୁଲ ଘରକୁ ଏଥି ପାଇଁ ବଛା ଯାଇଛି। ଭିତରେ ବେଡ୍ ପଡ଼ିଛି, ରହିବା-ଖାଇବା ଓ ଚିକିତ୍ସା ସହ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ପ୍ରସ୍ତୁତି ଚାଲିଛି। ରାଜ୍ୟର ଅନ୍ୟ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବି ସମାନ ଚିତ୍ର।

ତେବେ କେତେ ଲୋକ ବାହାରୁ ଆସିବେ କାହା ପାଖେ ସବୁଠି ହିସାବ ନଥିବାରୁ ଆଗୁଆ ସର୍ଭେ ଚାଲିଛି। ଗଞ୍ଜାମ ଆସ୍କାରେ ଘର ଘର ବୁଲି ଲୋକଙ୍କୁ ପଚାରି ତାଲିକା ତିଆରି କରୁଛି ଟିମ୍।

ସେପଟେ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆସନ୍ତାକାଲିଠୁ ଆରମ୍ଭ ହେବ ନାଁ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି।

ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ ସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ପଞ୍ଜିକରଣ ପରେ ଜିଲ୍ଲା ନୋଡାଲ ଅଧିକାରୀ ଅନଲାଇନ୍ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍ କରିବେ। ଏନେଇ ଆଜି ରାଜ୍ୟ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ସବିଶେଷ ଆଲୋଚନା ହୋଇଛି।

ପଞ୍ଜିକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ। ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ୨ଜଣ ଶିକ୍ଷକ ରହିବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସେପଟେ ଓଡ଼ିଶା ଫେରିବା ପୂର୍ବରୁ ସବୁ ଓଡ଼ିଆମାନଙ୍କ ଆଗୁଆ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ତେଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିଷ୍ପତ୍ତି ସାଂଘାତିକ।

ତେଣେ ଲକ୍‌ଡାଉନ୍ ସ୍ଥିତି ଭିତରେ ଗୁଜରାଟ ସୁରତରେ ଥିବା କିଛି ଓଡ଼ିଆଙ୍କୁ ଭେଟିଥିଲା ଓଟିଭି। ଯାହାଙ୍କ ମଧ୍ୟରୁ ଅନେକ ଭିଟାମାଟିକୁ ଫେରିବାକୁ ବ୍ୟଗ୍ର ଥିବାବେଳେ ଆଉ କେହି କେହି ନିଜ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ବର୍ତ୍ତମାନ ସମୟରେ ଘରକୁ ଫେରିବା ଆଦୌ ଠିକ୍ ହେବନି ବୋଲି ବି କହିଥିଲେ।

ଆହୁରି ପଢ଼ନ୍ତୁ

You might also like