ମାସ୍କ କେଳେଙ୍କାରୀ ନେଇ ଉତ୍ତର ରଖିଲା ବିଜେଡି

ଭୁବନେଶ୍ୱର: ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍‌ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍‌ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି। ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସାରେ କିଣିଛନ୍ତି ବୋଲି ବିଜେଡି କହିଛି।

ସ୍ୱଚ୍ଛତାର ସହ ମାସ୍କ କିଣାଯାଇଛି। ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା ବୋଲି ବିଜେଡି କହିଛି। ସ୍ୱାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ ଡାଉନ୍ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା ବୋଲି ଉତ୍ତର ରଖିଛି ଦଳ।

ଦଳ ଆହୁରି ମଧ୍ୟ କହିଛି ଯେ ପ୍ରଥମେ କେନ୍ଦ୍ର ସରକାର ମାସ୍କ ଗୋଟିକୁ ୧୦ ଟଙ୍କା ଦର ଧାର୍ଯ୍ୟ କରିଥିଲେ। ତେବେ ୧୦ ଟଙ୍କାରେ ଦେବାକୁ କେହି ରାଜି ନହେବାରୁ ୧୬ କରାଯାଇଥିଲା। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଓଡ଼ିଶା ଅଧିକ ଦେଇନି।

ତୁରନ୍ତ ଯଦି ଓଡ଼ିଶାକୁ ମାସ୍କ ଆସିନଥାନ୍ତା ତେବେ ମୃତ୍ୟହାର ବଢ଼ିଯାଇଥାନ୍ତା। ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି, ତାହା ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ସସ୍ମିତା ପାତ୍ର କହିଛନ୍ତି।

ଅନ୍ୟପଟେ କଂଗ୍ରେସ କହିଛି, ଏହି ଦୁର୍ନୀତି ପ୍ରସଙ୍ଗରେ ଦଳ ଲୋକାୟୁକ୍ତଙ୍କ ପାଖକୁ ଯିବ। ସେପଟେ ଭୁଲ୍ ତଥ୍ୟ ଦେଇ ସରକାର ଲୋକଙ୍କୁ ଭଣ୍ଡାଉଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

You might also like