କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ସରକାର

ଭୁବନେଶ୍ୱର: କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ପଡ଼ିଛନ୍ତି ସରକାର। ସରଞ୍ଜାମ କିଣାରେ କେନ୍ଦ୍ର ଗାଇଡ୍ ଲାଇନ୍‌ର ଉଲ୍ଲଂଘନ ସହ ବ୍ୟାପକ ଦୁର୍ନୀତିର ଅଭିଯୋଗରେ ସିବିଆଇ କିମ୍ବା ଜୁଡିସିଆଲ୍ ଇନ୍‌କ୍ୱାରୀ ଦାବି ହୋଇଛି। ଏଥିପାଇଁ ହାଇକୋର୍ଟରେ ପୃଥକ ପୃଥକ ଦୁଇଟି ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଏଥିସହ ରାଜନୀତି ବି ଘମାସାନ ହେବାରେ ଲାଗିଛି। କଂଗ୍ରେସ ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କରିଛି। ବିଜେପି ମଧ୍ୟ ନିର୍ଦ୍ଦିଷ୍ଟ ରାଜ୍ୟରୁ ସାମଗ୍ରୀ କିଣାଯିବାକୁ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛି। ତେବେ ବିଜେଡି କହିଛି ଏବେ ରାଜନୀତିର ସମୟ ନୁହେଁ।

ହାଇକୋର୍ଟରେ ଦାୟର ହୋଇଛି ଦୁଇ ଦୁଇଟି ଜନସ୍ୱାର୍ଥ ମାମଲାର ଆଧାର ହେଉଛି-

  • ୧୦ ଟଙ୍କାରେ କିଣିବାକୁ ଟେଣ୍ଡର ଆହ୍ୱାନ କରି ୧୬ ଟଙ୍କାରେ ମାସ୍କ କିଣିବା।
  • ମନଇଚ୍ଛା ଅର୍ଡର କରି ବାତିଲ କରିବା ଓ ପୁଣି ବାଧ୍ୟ ହୋଇ କିଣିବା।
  • ଭେଣ୍ଟିଲେଟର ଭଳି ଅତ୍ୟାବଶ୍ୟକ ସରଞ୍ଜାମ ମଗାଇ ଫେରାଇ ଦେବା
  • ସମାନ ମାନର ସରଞ୍ଜାମକୁ ଭିନ୍ନ ଭିନ୍ନ କଂପାନିଠୁ ଭିନ୍ନ ଭିନ୍ନ ଦାମ୍‌ରେ କିଣିବା
  • ବିଳମ୍ବରେ ଅର୍ଡର ଦେଇ ଶୀଘ୍ର ଡେଲିଭରି ପାଇଁ ୫୦ ପ୍ରତିଶତର ପ୍ରୋତ୍ସାହନ ଦେବା।

ଏସବୁ ଥିରେ କେନ୍ଦ୍ରୀୟ ଗାଇଡ୍ ଲାଇନ୍ ଉଲ୍ଲଂଘନ ସହ ବ୍ୟାପକ ଅନିୟମିତତାର ଅଭିଯୋଗ ଥିବାରୁ ସିବିଆଇ କିମ୍ବା ଜୁଡିସିଆଲ୍ ତଦନ୍ତ ଦାବିରେ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ଆଉ ଏପଟେ ସରଗରମ ହୋଇଛି ରାଜନୀତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କରିଛି କଂଗ୍ରେସ। ତା ସହ ଦଳେ ଅଫିସର ଗୋଷ୍ଠୀ କରି ରାଜକୋଷକୁ ଲୁଟ୍ କରିଛନ୍ତି ବୋଲି ଅଭିଯୋଗ କରିଛି ଦଳ। ସେପଟେ ବିଜେପି କୋଭିଡ୍ ସାମଗ୍ରୀ କିଣାରେ ସ୍ୱଚ୍ଛତା ନଥିବା କଥା କହି ନିର୍ଦ୍ଦିଷ୍ଟ ରାଜ୍ୟରୁ ସାମଗ୍ରୀ କିଣାଯିବାକୁ ନେଇ ପ୍ରଶ୍ନ କରିଛି।

ଏପଟେ କୋଭିଡ୍ ସରଞ୍ଜାମ କିଣାରେ ମନ୍ତ୍ରିସ୍ତରୀୟ କମିଟିର ଭୂମିକାକୁ ବିରୋଧୀ ଟାର୍ଗେଟ୍ କରିବା ପରେ ସଫେଇ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଦୁର୍ନୀତି ହୋଇନି।

  • ୧୦ ଟଙ୍କାରେ ମାସ୍କ କିଣିବାକୁ ଟେଣ୍ଡର ଆହ୍ୱାନ କରି କିପରି ୧୬ ଟଙ୍କାରେ କିଣାଗଲା ?
  • ସେହିପରି ଏକାଥରେ ୩୦ ଲକ୍ଷ ମାସ୍କ ତାମିଲନାଡୁର ବିଷ୍ଣୁ ଡିସ୍ପୋଜେବଲ କମ୍ପାନୀଠୁ କାହିଁକି କିଣା ହେଲା?
  • ବଜାର ଦରଠୁ ଚଢ଼ା ଦରରେ ମାସ୍କ କିଣାଯିବା ପଛର ଉଦ୍ଦେଶ୍ୟ କଣ?
  • ସାମଗ୍ରୀ ମହଜୁଦ ଥାଇ ବି ପୁଣି ୨୦ ଲକ୍ଷ ମାସ୍କ କିଣାଯିବାକୁ କାହିଁକି ଟେଣ୍ଡର ହେଲା ?

ବିରୋଧୀଙ୍କ ଏ ତମାମ ପ୍ରଶ୍ନର ଉତ୍ତର ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ହେଲେ ଏହି ପ୍ରସଙ୍ଗରେ ବିଜେଡି କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସପକ୍ଷରେ ଠିଆ ହୋଇ ଏହା ରାଜନୀତିର ସମୟ ନୁହେଁ, ଦଳ ତାର ମତ ସ୍ପଷ୍ଟ କରିସାରିଛି ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ।

 

You might also like