ଚିନ୍ତା ବଢ଼ାଉଛି ମହାମାରୀ: ଯିଏ ସମ୍ମୁଖ ଲଢ଼େଇ ଲଢୁଛନ୍ତି, ତାଙ୍କୁ ଏବେ ଛୁଇଁଛି କରୋନା
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ମହାମାରୀ କରୋନା। କାରଣ କୋଭିଡ୍ ବିରୋଧରେ ଯିଏ ସମ୍ମୁଖ ଲଢ଼େଇ ଲଢୁଛନ୍ତି, ତାଙ୍କୁ ଏବେ କରୋନା ଛୁଇଁଛି। ଅହରହ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ AIIMS କର୍ମଚାରୀ ଅଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସେ ଜଣେ ଜୁନିୟର ଡାକ୍ତର ବୋଲି ସୂଚନା ମିଳିଛି। ତେବେ ଡାକ୍ତର ଜଣକ କେମିତି ସଂକ୍ରମିତ ହେଲେ ସ୍ପଷ୍ଟ ହୋଇନି।
ଦିଲ୍ଲୀ AIIMSରେ ମଧ୍ୟ ଏପର୍ଯ୍ୟନ୍ତ ସମୁଦାୟ ୪୮୦ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ବେଳେ ତାଲିକାରେ ଅଛନ୍ତି ୧୯ ଡାକ୍ତର ଏବଂ ୩୮ ଜଣ ନର୍ସ। ଚିନ୍ତାଜନକ କଥା ହେଉଛି, ସେଠାରେ ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଗଲାଣିା
ଏପଟେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ ଏବଂ ଖୋର୍ଦ୍ଧା CDMO ଅଫିସର ଜଣେ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି
ତେବେ ଅଦୃଶ୍ୟ ଭୂତାଣୁର ଏହି ଭୟାବହତା ପରେ ବି ଯୁଦ୍ଧରୁ ପଛଘୁଞ୍ଚା ଦେଉନାହାନ୍ତି ସ୍ୱାସ୍ଥ୍ୟକର୍ମୀ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କୋଭିଡ୍ କେୟାର୍ ସେଣ୍ଟରର ନର୍ସ ଗୀତାଞ୍ଜଳି ସାମନ୍ତରାୟାଙ୍କ କଥା ଦେଖନ୍ତୁ। କର୍ତ୍ତବ୍ୟକୁ ମୂଳମନ୍ତ୍ର କରି ରୋଗୀସେବାରେ ନିୟୋଜିତ ଗୀତାଞ୍ଜଳି। ଆଜିକୁ ଦେଢ଼ ମାସ ହେଲା ଦୁଇ ବର୍ଷର କଅଁଳ ପିଲାକୁ ଦେଖିନଥିଲେ। ତେବେ ପୁଅକୁ ଧରି ସ୍ୱାମୀ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଭାବପ୍ରବଣ ଦୃଶ୍ୟା। ଦୀର୍ଘ ଦିନ ପରେ ମାଆକୁ ଦେଖିଲା କ୍ଷଣି କାର୍ ଝରକାକୁ ଡେଇଁ ଦୌଡ଼ିଯିବାକୁ ଉଦ୍ୟମ କରୁଥିଲା ଟିକି ପୁଅଟିା ଆଉ ସେପଟେ ମାତୃତ୍ୱର ଲୁହରେ ବତୁରି ଯାଉଥିଲା ମାର ପ୍ରାଣ। କାରଣ ଉଭୟଙ୍କର ମଝିରେ ବାଡ଼ ସାଜିଥିଲା କରୋନା ଭୟ ପୁଅକୁ କୋଳେଇ ନପାରିବାର ଦୁଃଖରେ ମାର ମନ ବା କେମିତି ସମ୍ଭାଳିବ।
ଗୋଟେ ପଟେ କରୋନା ଲଢ଼େଇ , ଆରପଟେ ସ୍ନେହ, ମମତା ଆଉ ବାତ୍ସଲ୍ୟର କାହାଣୀ। ତାହାରି ଭିତରେ କୋଭିଡ ସଂକ୍ରମଣ, ସମସ୍ତଙ୍କ ଜୀବନ ବଞ୍ଚେଇବାର ପଣ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।