• translate
Prangyan Parimita

ପୁରୀ : ବଡଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରିବନି ।  ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ଼୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି । ସମୀକ୍ଷା ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡୁଛି । ଖୁବଶୀଘ୍ର ଏହି କଟକଣା ହଟିବା ସହ  ଆଗକୁ ଆଉ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ନୁହେଁ ।

ମହାମାରୀ ପାଇଁ ଅନେକ ଦିନ ହେବ ଜଗା ଦର୍ଶନ କରିପାରୁନଥିଲେ ସାଧାରଣ ଭକ୍ତ । କୋଭିଡ଼ କଟକଣା ଭିତରେ  କାଳିଆକୁ ଦେଖିବାର ଇଚ୍ଛାକୁ ମନରେ ମାରିବାକୁ ପଡ଼ୁଥିଲା । ହେଲେ ଜାନୁଆରୀ ୨୧ ପରେ କୋଭିଡ଼ ନେଗେଟିଭ ରିପୋର୍ଟ ନଦେଖାଇ ଜଗା ଦର୍ଶନର ଅନୁମତି ମିଳିବ । ଏହାସହ ୨୧ ପରେ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ।  ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୫ରୁ ୬ ଦିନ ମଧ୍ୟରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିବ।

ସମୀକ୍ଷା ବୈଠକରେ ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି । ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ କାଳିଆକୁ ଦର୍ଶନ କରିପାରିବେ । ଅନ୍ୟ ସମୟରେ ଚାହିଁଲେ ଧାଡ଼ିରେ ଆସି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ମାତ୍ର ଏକ ମାସ ପାଇଁ ତଥା ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏ ଏହି ନିୟମ ଲାଗୁ କରାଯାଇଛି ।  ପୂର୍ବଭଳି ଆନନ୍ଦବଜାରରେ ଗହଳିଚଳହି କରି ମହାପ୍ରସାଦ ସେବନକୁ ଅନୁମତି ଦିଆଯାଇ ନାହିଁ । ତେବେ ଅନ୍ୟ କୌଣସି କଟକଣା କୋହଳ କରାଯାଇ ନାହିଁ । ପୂର୍ବପରି ସମସ୍ତ କଟକଣା ଜାରି ରହିବ ।

ସେହିପରି ବୟସ୍କଙ୍କ ପାଇଁ  କାଳିଆ ଦର୍ଶନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି । ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ । ଏହାସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ ହୋଇଥିବା  ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁରୀରେ ଆଜି ଜଗନ୍ନାଥ ଦର୍ଶନ କଟକଣା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଅନେକ ବିଚାରବିମର୍ଷ ପରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି।

Other Stories