ଭୁବନେଶ୍ୱର: ସ୍ୱାମୀଙ୍କ ମଙ୍ଗଳ ମନାସୀ ବିଧି ଓ ବିଶ୍ୱାସର ସହ ସଧବା ନାରୀ ପାଳିଛି ସାବିତ୍ରୀ ବ୍ରତ। ହେଲେ କରୋନା ଡର ଭିତରେ ଅନ୍ୟ ବର୍ଷ ଭଳି ଏ ବର୍ଷ କିନ୍ତୁ ସାବିତ୍ରୀ ବ୍ରତ ପାଳନରେ ଚମକ ନଥିଲା। ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଥିଲା ଖାଁ ଖାଁ। ଏପଟେ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବା ମହିଳା ବି ସାମାଜିକ ଦୂରତା ପାଳି ଏ ବିଧି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଛନ୍ତି।

ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଖାଁ ଖାଁ ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର। ଆଜି ଭଳି ଦିନରେ ମହିଳା ଭକ୍ତଙ୍କ ସମାଗମରେ ଯେଉଁଠି ମନ୍ଦିର ପରିସର କମ୍ପି ଉଠିବା କଥା, ସେ ସ୍ଥାନ ସମ୍ପୂର୍ଣ୍ଣ ଜନଶୂନ୍ୟ ଥିଲା। କରୋନା ସଂକ୍ରମଣ ପାଇଁ ୧୪୪ ଧାରା ଜାରି କାରଣରୁ ଏମିତି ଥିଲା ମାଙ୍କ ମନ୍ଦିର ପରିସର। ଅନରୂପ ଦୃଶ୍ୟ ଜଗତସିଂହପୁରର ଆରାଧ୍ୟ ଦେବୀ ମା ଶାରଳାଙ୍କ ପୀଠରେ।

ପ୍ରଶାସନର ୧୪୪ ଧାରା ପାଇଁ ବନ୍ଦ ରହିଥିଲା ଜିଲ୍ଲାର ସବୁ ମନ୍ଦିର। ରାଜଧାନୀର କେଦାର ଗୌରୀ ମନ୍ଦିରରେ ବି ସମାନ ପରିସ୍ଥିତି। ଏଠିବି କରୋନା କଟକଣା ପାଇଁ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରରେ ଝୁଲୁଥିଲା ତାଲା। ଫଳରେ ବିଧି ଓ ବିଶ୍ୱାସର ଏ ପୁରାତନ ପରମ୍ପରାକୁ ଯେନତେନ ପ୍ରକାରେ ପାଳନ କରିଛନ୍ତି ସଧବା ନାରୀ। ଶ୍ରୀକ୍ଷେତ୍ର ପୁରୀ ହେଉ କି କଟକ, ଗଞ୍ଜାମ ହେଉ କି ଭଦ୍ରକ, ସବୁଠି ଦେବାଦେବୀଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇ ଏମିତି ନିରାଡ଼ମ୍ବର ଭାବେ ମହିଳାମାନେ ପାଳିଛନ୍ତି ସାବିତ୍ରୀ ବ୍ରତ।

କରୋନା କହର ଭିତରେ ରାଜ୍ୟର ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସଙ୍ଗରୋଧରେ ରହିଛନ୍ତି ଶହ ଶହ ସଂଖ୍ୟାରେ ମହିଳା। ତେବେ ସାବିତ୍ରୀ ଭଳି ପ୍ରମୁଖ ପୂଜା ପରମ୍ପରାରୁ ସେମାନେ ଯେପରି ବଞ୍ଚିତ ନହେବେ, ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସାବିତ୍ରୀ ବ୍ରତ ପାଳନ ଉତ୍ସବ। କେଉଁଠି ବ୍ରାହ୍ମଣ ଡକାଇ ପଞ୍ଚାୟତ କର୍ତ୍ତୃପକ୍ଷ ମହିଳାଙ୍କ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୁର ଓ ପୂଜା ସାମଗ୍ରୀର ବନ୍ଦୋବସ୍ତ କରିଥିଲେ ତ ଆଉ କେଉଁଠି ମହିଳାମାନେ ସାମାଜିକ ଦୂରତା ପାଳି ସ୍ୱାମୀଙ୍କ ଆଶୀର୍ବାଦ ନେଇଥିଲେ।

କରୋନା ପାଇଁ ଏବର୍ଷ ସାବିତ୍ରୀ ବ୍ରତ ପାଳନରେ ଉତ୍ସାହ ନଥିଲେ ବି ଏପଟେ ପୁରୀରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ଆଜିର ଦିନରେ ପୁରୀ ଓ ଏହାର ଆଖାପାଖ ଅଞ୍ଚଳ ଲୋକେ ଶ୍ରୀମନ୍ଦିରରୁ ମହାପ୍ରସାଦ ନେବାର ପରମ୍ପରା ଥିବାରୁ ଏହାକୁ ପାଇବା ଲାଗି ଉତ୍ତର ଦ୍ୱାର ସମ୍ମୁଖରେ ଲାଗିଥିଲା ଭକ୍ତଙ୍କ ପ୍ରବଳ ଗହଳି। ଭିଡ଼ ଭିତରେ ଲୋକେ ସାମାଜିକ ଦୂରତା ନିୟମକୁ ଭୁଲି ଯାଇଥିବା ବେଳେ ଏପେଟ ଗହଳି ନିୟନ୍ତ୍ରଣ ପାଇଁ ନାକେଦମ୍ ହୋଇଥିଲା ସିଂହଦ୍ୱାର ପୋଲିସ।

https://youtu.be/4TTfiz6qdkI

Other Stories