ପେଷା ବଦଳାଇଦେଲା ଲକ୍‌ଡାଉନ: ଶିକ୍ଷକରୁ ମନରେଗା ଶ୍ରମିକ ହେଲେ ଗୀତା

ଭୁବନେଶ୍ୱର: ବର୍ଷ ବର୍ଷର ପୁରୁଣା ପେଷାକୁ ବଦଳାଇଦେଲା ଲକଡାଉନ। ମାସ ଦିଇଟା ଭିତରେ ବଦଳି ଗଲା ପରିଚୟ। ଲକ୍‌ଡାଉନ୍ ଯୋଗୁ ବନ୍ଦ ହୋଇଗଲା ପେଟପଟଣାର ବାଟ। ଯେମିତି ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ତେଣୁ ଅବସ୍ଥା ଦେଖି ବ୍ୟବସ୍ଥା କରିବା କରିବା ଭଳି କିଏ ପୂଜକରୁ ଫଳ ବେପାରୀ, ତ ଆଉ କିଏ ଶିକ୍ଷୟିତ୍ରୀରୁ ଦିନ ମଜୁରିଆ ପାଲଟି ଗଲେ।

ଲକ୍‌ଡାଉନ୍‌ରେ ଏହି ଲମ୍ବା ଅବଧି ଏମିତି ଅନେକ ଲୋକଙ୍କ ପୁରୁଣା ବୃତ୍ତିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ବେଳେ ଆଉ କିଛି ଲୋକଙ୍କ ଜୀବନ-ଜୀବିକାକୁ ଅଧିକ ଯନ୍ତ୍ରଣାଦାୟକ ଓ ଦୁର୍ବିସହ କରି ଦେଇଛି।

ଏଇ ଯେମିତି ଭରତ ବନ୍ଧୁଙ୍କ କାହାଣୀ। ରାଜଧାନୀ ଭୁବନେଶ୍ୱର ପଟିଆ ଛକରେ ସ୍ପେୟାର ପାର୍ଟସ ଦୋକାନ କରିଥିଲେ ଭାରତ ବନ୍ଧୁ ବେହେରା। ବେପାର ମଧ୍ୟ ଭଲ ହେଉଥିଲା। ସେଥିରେ ତାଙ୍କ ପରିବାର ଚଳୁଥିଲା। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ ପାଇଁ ରାଜଧାନୀର ରାଜରାସ୍ତାରେ ଆଉ ଆଗଭଳି ଗଡୁନି ଗାଡ଼ି ମୋଟର। ଫଳରେ ନିଜ ପୁରୁଣା ବ୍ୟବସାୟ ଠପ୍‌ ହୋଇଯିବାରୁ ଆଜି ସେ ରାସ୍ତାକଡ଼ର ପରିବା ବିକୁଛନ୍ତି।

ସେହିପରି ଆଉ ଜଣେ ହେଉଛନ୍ତି ରବୀନ୍ଦ୍ର କୁମାର ଦାଶ। ପୂଜା ପାଠ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ କରୋନା ପାଇଁ ପରିସ୍ଥିତି ଏମିତି ହେଲା ଯେ, ନିଜ କୌଳିକ ବୃତ୍ତି ବଦଳିଗଲା। ଏବେ ସବୁ ବନ୍ଦ ହୋଇଯିବାରୁ ରାସ୍ତାକଡ଼ରେ ଫଳ ଦୋକାନ କରିଛନ୍ତି। ସେଥିରୁ ଯାହା ଉପାର୍ଜନ ହେଉଛି ସେଥିରେ କଷ୍ଟମଷ୍ଟରେ ଚଳୁଛନ୍ତି ବୋଲି କହିଛନ୍ତି ରବୀନ୍ଦ୍ର କୁମାର ଦାଶ।

ଲକ୍‌ଡାଉନର ଲମ୍ବା ଅବଧି ଏମିତି ଜଣେ କି ଦୁଇ ଜଣ ନୁହେଁ, ଉଭୟ ଗାଁ ଓ ସହରାଞ୍ଚଳର ଶହ ଶହ ଲୋକଙ୍କ ଜୀବନ-ଜୀବିକାର ମାଧ୍ୟମକୁ ଛଡ଼ାଇ ନେଇଛି। ସେମିତି ଏକ ଦୃଶ୍ୟ ବଲାଙ୍ଗିର ସହର ଉପକଣ୍ଠ ଗନ୍ଧରେଲ ଗାଁରେ ଦେଖିବାକୁ ମିଳିଛି। ଦିନେ ହାତରେ ଖଡ଼ି ଧରି ପିଲାଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷୟିତ୍ରୀ ଗୀତ ନନ୍ଦଙ୍କ ମୁଣ୍ଡରେ ମାଟି ଝୁଡ଼ି ରହିଛି। ଘରୋଇ ସ୍କୁଲ ଶିକ୍ଷୟିତ୍ରୀରୁ ଦିନ ମଜୁରିଆକୁ ବଦଳି ଯାଇଛି ତାଙ୍କ ପରିଚୟ। ରୋଗିଣା ପୁଅର ଚିକିତ୍ସା ଲାଗି ହାତରେ ଟଙ୍କା ନଥିବାରୁ MGNRGA ଶ୍ରମିକ ଭାବେ କାମ କରୁଛନ୍ତି ଗୀତା।

 

You might also like