ଲକ୍‌ଡାଉନ୍‌ ବେଳେ ଅସହାୟ ଦିବ୍ୟାଙ୍ଗ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ୍ ଅଫିସର୍

କଟକ: ବର୍ତ୍ତମାନର ସ୍ଥିତି ଦେଖି ଅନେକ ଭାବୁଛନ୍ତି ମାଟିଆ ବର୍ଦ୍ଦି ପିନ୍ଧା ପୋଲିସ୍‌ମାନେ ଖୁବ୍ ବେଦରଦୀ। ଖରାପ୍ ବ୍ୟବହାର କରନ୍ତି, ଖାଲି ଲାଠି ପ୍ରହାର କରନ୍ତି। କିନ୍ତୁ ଅନେକ ସ୍ଥାନରେ  ତାହା ଭୁଲ୍‌ ପ୍ରମାଣିତ ହୋଇଛି।  ଶକ୍ତ ମାଟିଆ ପୋଷାକ ତଳେ ବି ଲୁଚି ରହିଛି ଗୋଟେ ଦରାଦୀ ହୃଦୟ। ପୁଲିସ୍‌ କେବଳ ଲାଠି ଧରି ଅମାନିଆକୁ ସାବାଡ୍‌ କରୁନି, ଗରିବ ଅସହାୟଙ୍କ ମୁହଁରେ ଦାନା ବି ଦେଉଛି। ଦରକାର ପଡ଼ିଲେ ଅସହାୟ ଯାଯାବରଙ୍କୁ ନିଜ ହାତରେ ଖୁଆଇ ଦେଉଛି। ଏମିତି ଏକ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି।

କଟକ ସହରର ଏଭଳି ଜଣେ ଦିବ୍ୟାଙ୍ଗ ତଥା ନିରାଶ୍ରୟ ମହିଳାଙ୍କୁ ଜଣେ ମହିଳା ପୋଲିସ ଅଧିକାରୀ ଖାଦ୍ୟ ଖୁଆଉଥିବାର ଭିଡିଓ କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହାପରେ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ନିରାଶ୍ରୟଙ୍କୁ ଖୁଆଉଥିବା ଏହି ମହିଳା ପୋଲିସ ଅଧିକାରୀ ହେଉଛନ୍ତି ମହିଳା ଥାନାର ଏସ୍ଆଇ ବର୍ଷା ମହାନ୍ତି। ନିଜ ଡ୍ୟୁଟି ପରିସରରୁ ବାହାରକୁ ଯାଇ ସେ ଅସହାୟଙ୍କ ମୁହଁରେ ଆହାର ଦେବା ପ୍ରୟାସକୁ କଟକ ଡିସିପିଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।

ଭିଡିଓରେ ବର୍ଷା ଦିବ୍ୟାଙ୍ଗ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଉଥିବାର ଦେଖିବାକୁ ମିଳିଛି।  ଦିବ୍ୟାଙ୍ଗ ମହିଳା ଜଣଙ୍କ ହାତରେ ଖାଇବା ଠେଲି ଦେଉଛନ୍ତି। କିନ୍ତୁ ବର୍ଷା ତାଙ୍କୁ କହୁଛନ୍ତି, ନଖାଇଲେ ଦୁର୍ବଳ ହୋଇଯିବ, ଆଉ ଟିକେ ଖାଇଦିଅ। ପିଲାକୁ ମା’ଟେ ଖୁଆଇ ଦେଲା ଭଳି ବର୍ଷା ମଧ୍ୟ ସେହି ଦିବ୍ୟାଙ୍ଗ ମହିଳାଙ୍କୁ ଖୁଆଇ ଦେଉଛନ୍ତି।

You might also like