କୋଭିଡ୍‌ କିଟ୍‌ କିଣାରେ ୩ ଶହ କୋଟିର ବାଟମାରଣା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ପୁଣି ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି- ଚଷମା, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍ ଓ ଜ୍ୟାକେଟ୍‌ କିଣାରେ ଏହି ଦୁର୍ନୀତି ହୋଇଛି।

ଭୁବନେଶ୍ୱର ବମିଖାଲରେ ଥିବା ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ୧୨ ଟଙ୍କାର ଚଷମାକୁ ୬୦ ଟଙ୍କାରେ, ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କାରେ, ୧୦ ଟଙ୍କାର ଗ୍ଲୋଭ୍‌ସକୁ ୯୦ ଟଙ୍କାରେ ଏବଂ ୪୫ ଟଙ୍କାର ହେଲ୍‌ମେଟ୍‌କୁ ୧୧୦ ଟଙ୍କାରେ କିଣାଯାଇଛି। ମାଲକାନଗିରି, କଟକ ଓ ଅନୁଗୁଳ ଜିଲ୍ଲାର ଉଦାହରଣ ଦେଇ ଏହି ତଥ୍ୟ ଦେଇଛନ୍ତି ପ୍ରଦୀପ ମାଝୀ।

ଲକ୍‌ଡାଉନ୍ ସମୟରେ ଶ୍ରମିକମାନେ ସବୁଠାରୁ ବଡ଼ ସଂକଟରେ ପଡ଼ିଥିବା ବେଳେ ଶ୍ରମ ମନ୍ତ୍ରୀଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି ପ୍ରଦୀପ। ତା ସହିତ ତା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜବାବ ମଧ୍ୟ ମାଗିଛନ୍ତି। ତେବେ ଏସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ନାହିଁ।

ଏହା ପୂର୍ବରୁ ଜୁନ ୧୭ ତାରିଖରେ କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା ହୋଇଥିଲା ଦଳ। ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା। ଆଠଟି ଦାବି ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ଦଳର ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଲୋକାୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

 

You might also like