ଚିନ୍ତା କରନ୍ତୁନି; ଗଞ୍ଜାମର ୮୩% ଗାଁ କରୋନା ମୁକ୍ତ

ବ୍ରହ୍ମପୁର: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି, ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରନ୍ତୁ। ସହଯୋଗ କଲେ କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ, ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି, ଆକ୍ରାନ୍ତଙ୍କୁ ଖୋଜି ଖୋଜି ବାହାର କରୁଛୁ। ୨ଶହ ଡାକ୍ତରୀ ଟିମ୍ ଏବେ ବୁଲି ବୁଲି ସ୍କ୍ରିନିଂ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ଏହା ମଧ୍ୟରେ ଜିଲ୍ଲାର ୩୦ଟି ଗାଁ ରେଡ୍‌ରୁ ଗ୍ରୀନ ଜୋନ୍‌କୁ ଆସିପାରିଛି। ଗଂଜାମ ଜିଲ୍ଲାର ୮୩ ପ୍ରତିଶତ ଗାଁ ଏବେ କରୋନା ମୁକ୍ତ ହୋଇଛି। ତେଣୁ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ ଜିଲ୍ଲାପାଳ କହିଛନ୍ତି। ସପ୍ତାହକ ମଧ୍ୟରେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିଦେବେ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆକ୍ରାନ୍ତଙ୍କ ପାଇଁ ମେଡିକାଲରେ ଆମର ବେଡ୍‌ ଅଭାବ ନାହିଁ। ବ୍ରହ୍ମପୁର ମେଡିକାଲରେ ୩ ଜଣ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି। ସମସ୍ତ ୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଛି।

ସେହପରି ଔଷଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ସବୁ ପର୍ଯ୍ୟାପ୍ତ ଅଛି, କିଛି ଅସୁବିଧା ନାହିଁ। ସଂଖ୍ୟା ବଢୁଥିଲେ ବି ରୋଗୀଙ୍କୁ ଚିକିତ୍ସା ଦେବାକୁ କିଛି ସମସ୍ୟା ନାହିଁ। ଆମ ପାଖରେ ଚିକିତ୍ସା ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି ଜିଲ୍ଲାପାଳ କହିଛନ୍ତି।

କୋଭିଡ୍ ବିରୋଧୀ ଲଢେଇକୁ ନେଇ ସେ କହିଛନ୍ତି ଯେ ୧୨୦ ଦିନ ହେଲା କୋଭିଡ଼ ଯୋଦ୍ଧାମାନେ ନିରନ୍ତର କାମ କରୁଛନ୍ତି। ଜିଲ୍ଲାକୁ ୨ଶହ ଟ୍ରେନରେ ପ୍ରବାସୀ ଆସିଲେ, ତାକୁ ପରିଚାଳନା କଲୁ। ଦିନରାତି ଏକ କରି କୋଭିଡ଼ ଯୋଦ୍ଧା ନିରନ୍ତର କାମ କରୁଛନ୍ତି। କୋଭିଡ଼ ଯୋଦ୍ଧା ଦରମା ପାଇଁ ନୁହେଁ, ସେବା ଉଦ୍ଦେଶ୍ୟରେ କାମ କରୁଛନ୍ତି।

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି, ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି। ସହଯୋଗ କରନ୍ତୁ; କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ, ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା ବୋଲି ଜିଲ୍ଲାପାଳ କହିଛନ୍ତି।

You might also like