ରାଜ୍ୟରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ାରେ ଏହି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ପୁଣି ୩ ଜିଲ୍ଲାକୁ ବ୍ୟାପିଛି କରୋନା।

ଚିହ୍ନଟ ୩ ଜଣଙ୍କ ସମ୍ପର୍କର ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଦେବଗଡରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପୁରୁଷ ଓ ତାଙ୍କର ବୟସ ୩୪ ବର୍ଷ । ସେ ସ୍ଥାନୀୟ ବାସୁଦେବପୁର ଅଞ୍ଚଳର ବାସିନ୍ଦା । କେନ୍ଦୁଝର ଆକ୍ରାନ୍ତ ଜଣକ ବୟସ ୬୦ ବର୍ଷ ବୟସ୍କ ବୃଦ୍ଧ ଓ ଘର ପଞ୍ଚପଲ୍ଲୀରେ। ସେହିପରି ଝାରସୁଗୁଡା ଆକ୍ରାନ୍ତ ଜଣକ ୧୮ ବର୍ଷର ଜଣେ ଯୁବତୀ ଓ  ସେ  ବ୍ରଜରାଜନଗର  ଅଞ୍ଚଳର ବୋଲି ଜଣାଯାଇଛି। ତିନି ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଥିବା ସୂଚନା ମିଳିଛି।

ସେହିପରି ଚିହ୍ନଟ ହୋଇଥିବା ୧୧୯ ନଂ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ। ସେ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ।

You might also like