ସତ୍ୟନଗର ସସ୍‌ପେନ୍ସ: ଦ୍ୱନ୍ଦ୍ୱ ଦୂର ପାଇଁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ସତ୍ୟନଗରରେ ହଠାତ୍ କୁଆଡୁ ଆସିଲେ ଚାରି କୋଭିଡ୍‌-୧୯ ଆକ୍ରାନ୍ତ। ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ସୂର୍ଯ୍ୟନଗର ପରେ ବମିଖାଲ, ଯଦୁପୁର-ବେଗୁନିଆ, ସୁନ୍ଦରପଦା, ଆଉ ଏବେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ଆଉ ଏକ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ସରକାର ସତ୍ୟନଗର ନା ଘୋଷଣା କରିଥିଲେ।

ହେଲେ ସତ୍ୟନଗରରେ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ସଂକ୍ରମଣ ରୋକିବାକୁ ଏହାକୁ ଆବଦ୍ଧାଞ୍ଚଳ ଘୋଷଣା କରାଯିବା ନେଇ ଆଜି ସକାଳେ ବିଏମ୍ସିର ଏକ ନୋଟିସ୍  ପରେ ଶଙ୍କା ଏବଂ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ ସତ୍ୟନଗର ବାସିନ୍ଦା।

କାରଣ ଆକ୍ରାନ୍ତ କେବେ ଚିହ୍ନଟ ହେଲେ, କେତେଜଣ ସଂକ୍ରମିତ? ଏନେଇ ନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କୌଣସି ସୂଚନା ଥିଲା, ନା ସ୍ପଷ୍ଟ କରିଥିଲା ବିଏମ୍ସି।

ତେବେ ସତ୍ୟନଗର ସତ କଣ ? ଲୋକଙ୍କ ଭୟ ଓ ଦ୍ୱନ୍ଦ୍ୱକୁ ନେଇ ଓଟିଭିରେ ବାରମ୍ବାର ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗ ଏରିଆ ଓ୍ୱାଇଜ୍ ସଂକ୍ରମିତଙ୍କ ମ୍ୟାପ୍ ଜାରି କରିଥିଲା। ଯେଉଁଥିରେ ସତ୍ୟନଗରରେ ୪ ଏବଂ ବମିଖାଲରେ ୧୪ ଜଣ କରୋନା ପଜିଟିଭ୍ ଥିବା ଦର୍ଶାଯାଇଛି।

ତେବେ ପୂର୍ବରୁ ବମିଖାଲରେ ପ୍ରଥମେ ତିନି ଭାଇ ଓ ପରେ ଗୋଟିଏ ଦିନରେ ଗୋଟିଏ ପରିବାରର ଅନ୍ୟ ୧୫ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଦୁଇ ଦିନ ତଳେ ସୂଚନା ଦେଇଥିଲା। ତେଣୁ ଏ ମ୍ୟାପ୍ ଦ୍ୱନ୍ଦ୍ୱ ଦୂର କରିବା ବଦଳରେ ଆହୁରି ବଢ଼ାଇଲା।

ଆଉ ଶେଷରେ ସତ୍ୟନଗରରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ବମିଖାଲରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂପର୍କୀୟ ହୋଇ ପାରନ୍ତି ବୋଲି ଟୁଇଟ୍ କରିଛି ସ୍ୱାସ୍ଥ୍ୟ ବିଭାଗ।

ତେବେ ଅନ୍ୟ ଜଣେ କିଏ ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନି। ହେଲେ ଏହା ପରେ ପୁଣି ବିଏମ୍ସିର ଏକ ଟୁଇଟ୍  ନୂଆ ତଥ୍ୟ ସାମ୍ନାକୁ ଆଣିଛି।

ଏଇ ଟ୍ୱିଟ୍‌ରେ ଉଲ୍ଲେଖ ଅଛି ଯେ ଜଣେ କୋଭିଡ୍ ୧୯ ସଂକ୍ରମିତ ବ୍ୟକ୍ତି ସତ୍ୟନଗର ତୋଷାଳି ଭବନ ସମ୍ମୁଖ ଏକ ଓମ୍ଫେଡ୍ ବୁଥ୍‌କୁ ବାରମ୍ବାର ଯାଉଥିବା ଜଣାପଡ଼ିବାରୁ ପୂରା ସତ୍ୟନଗର ଅଞ୍ଚଳକୁ ସିଜ୍ କରାଯିବା ସହ ଗତ ୧୪ ଦିନ ଭିତରେ ସଂପୃକ୍ତ ଓମ୍ଫେଡ୍ ବୁଥ୍‌କୁ ଯାଇଥିବା ସମସ୍ତଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ସଂପୃକ୍ତ ଆକ୍ରାନ୍ତ ମୂଳତଃ କେଉଁ ଅଞ୍ଚଳର, ସେ କରୋନା ଆକ୍ରାନ୍ତ ବୋଲି କେବେ ଜଣାପଡ଼ିଲେ, ତାହା କୁହାଯାଇନି।

ସତ୍ୟନଗର ଆବଦ୍ଧାଞ୍ଚଳ ହେଲା- ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର ପର୍ଯ୍ୟନ୍ତ ଅଞ୍ଚଳ ଏବଂ ସାଉଥ ବିଦ୍‌ବଜାର ରୋଡରୁ ପିଡବ୍ଲୁଡି ଡିଭିଜନ-୩ ଅଫିସ୍ ଓ କ୍ୱାର୍ଟର୍ସ କପ୍ଲେକ୍ସ ଅଞ୍ଚଳ ସିଲ୍ କରାଯାଇଛି।

ଏହି ଆବଦ୍ଧାଞ୍ଚଳକୁ କେହି ବାହାରୁ ଯାଇ ପାରିବେନି କି କେହି ଭିତରୁ ବାହାରି ପାରିବେନି। ଲୋକଙ୍କର ଜରୁରୀ ଆବଶ୍ୟକତା ପୂରଣ ଲାଗି BMC ପକ୍ଷରୁ ଏକ ଟିମ୍ ଗଠନ କରାଯିବା ସହ ଦରକାର ହେଲେ ହେଲ୍ପ ଲାଇନ୍ ନମ୍ବର-୧୯୨୯ର ସହାୟତା ନେବାକୁ କୁହାଯାଇଛି।

କରୋନା ସଂକ୍ରମଣରେ ରାଜ୍ୟର ହଟ୍‌ସପଟ୍‌ ପାଲଟିଥିବା ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେ ଭିତରୁ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like