କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି

ଭୁବନେଶ୍ୱର: କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଧ୍ୟତାମୂଳକ ଭାବେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଓଲଟା ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଛି। ସମ୍ବଲପୁରରେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ତୀବ୍ର ବିରୋଧ କରାଯାଇଛି। ସେପଟେ ପରୀକ୍ଷା ନିଷ୍ପତ୍ତି ବିରୋଧରେ ବିପିୟୁଟି ଏବଂ ରମାଦେବୀ ପିଲା ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଛାତ୍ରଛାତ୍ରୀ କହିଛନ୍ତି, “ଆମର ଶିକ୍ଷାଗତ ପ୍ରମାଣପତ୍ର ଦରକାର, ଡେଥ୍ ସାର୍ଟିଫିକେଟ୍ ନୁହେଁ। ଆମେ ଛାତ୍ର, କରୋନା ଟେଷ୍ଟିଂ କିଟ୍ ନୋହୁଁ।”

ବଢୁଥିବା କରୋନା ଭୟ ଭିତରେ ପରୀକ୍ଷା କରାଇବା ପାଇଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି  ଛାତ୍ରଛାତ୍ରୀ। ଆଉ ପ୍ରତିବାଦ ଜଣାଇ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଭଳିକି ଭଳି ସ୍ଲୋଗାନ୍।

ପରୀକ୍ଷା ବଦଳରେ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଦାବି କରାଯାଇଛି। ଜୁଲାଇରୁ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ୨୦ ସୁଦ୍ଧା ହଷ୍ଟେଲ୍‌ରେ ପହଞ୍ଚିବାକୁ କହିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ।

ଏଥିପାଇଁ ହଷ୍ଟେଲ କ୍ୱାରେଣ୍ଟିନ୍‌ରେ ରହିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପିଲାଙ୍କ ପାଇଁ ଅଣ୍ଡରଟେକିଂ ଦେବାକୁ ବି ଅଭିଭାବକଙ୍କୁ କୁହାଯାଇଛିା ଏହାକୁ ନେଇ ସୋସିଆଲ୍ ମିଡିଆରେ ବିରୋଧର ସ୍ୱର ଜୋର ଧରିଥିବା ବେଳେ ଅଭିଭାବକମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ଏବେ ପରୀକ୍ଷା ହେବ କି ନାହିଁ ନିଷ୍ପତ୍ତି ନେବା ପାଇଁ ସୋମବାର ବୈଠକ ବସି ଆଲୋଚନା କରାଯିବା ବୋଲି ଭିସୁଟ୍ କର୍ତ୍ତୃପକ୍ଷ କହିଛନ୍ତି।

କେବଳ ଭିସୁଟ୍ ନୁହେଁ, ବିପିୟୁଟିର ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ବି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ପହିଲାରେ କରିବାକୁ ନୋଟିସ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ଯେଉଁ ଜିଲ୍ଲାର ହୋଇଥିବେ ସେଇ ଜିଲ୍ଲାର ମୁଖ୍ୟାଳୟରେ ହେବାକୁ ଥିବା ସେଣ୍ଟରରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ହୋଇଛି।

 

ତେବେ କରୋନା ସଙ୍କଟ ସମୟରେ କେମିତି ଯାତାୟତ କରିବେ, କୋଉଠି ରହିବେ, ତାକୁ ନେଇ ଛାତ୍ରାଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ବିପିୟୁଟି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର। ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି। ସେହିପରି ଜୁନ୍ ମାସ ଶେଷରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇବା ଲାଗି ମଧ୍ୟ ରମାଦେବୀ ଛାତ୍ରୀମାନେ ବି ଦାବି କରିଛନ୍ତି।

ଗୋଟିଏ ପଟେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ, ଅନ୍ୟପଟେ କରୋନା ସଙ୍କଟ ଭିତରେ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି। ଏଭଳି ସ୍ଥିତିରେ କଣ ହେବ ପିଲାଙ୍କ ଭବିଷ୍ୟତ, ତାକୁ ନେଇ ନା ନା ଆଶଙ୍କା ଉପୁଜିଥିବ ବେଳେ ଦିନେ ଦୁଇଦିନ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

You might also like