୧୫ ଶହ ମୁହାଁ ହେଲାଣି କରୋନା:ଚିନ୍ତା ବଢାଉଛି ସୁନ୍ଦରଗଡ଼

କାୟା ମେଲାଉଛି କରୋନା

  • ରାଜ୍ୟରେ ଭୟାନକ କରୋନା ସ୍ଥିତି
  • ସୁନ୍ଦରଗଡ଼-ଖୋର୍ଦ୍ଧା ସ୍ଥିତି ସଂଗୀନ
  • ସଂକ୍ରମଣ ରୋକିବାକୁ ସବୁଠି କଡ଼ା ଚେକିଂ
  • ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଟିକା ଉତ୍ସବ ଆରମ୍ଭ
  • କରୋନା ପ୍ରଭାବିତ ଜିଲ୍ଲାକୁ ଫୋକସ୍
  • ଟିକା ଅଭାବରୁ ରାଜ୍ୟର ୯ଶହ କେନ୍ଦ୍ରରେ ଭ୍ୟାକ୍ସିନେସନ୍ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଉଗ୍ର ରୂପ ନେଉଛି କରୋନା। ତେବେ ଟେନସନ୍ ବଢାଉଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି। ସଂକ୍ରମଣ ବଢିବା ପରେ ସୀମାବର୍ତ୍ତୀ ଜିଲ୍ଲାର ପ୍ରବେଶ ପଥରେ ଚେକିଂକୁ ଜୋରଦାର କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆଜିଠୁ ଆରମ୍ଭ ହୋଇଛି ଟିକା ଉତ୍ସବ। ଏପଟେ କିନ୍ତୁ ଟିକାର ଅଭାବ ଯୋଗୁଁ ରାଜ୍ୟର ୯ଶହ କେନ୍ଦ୍ରରେ ଭ୍ୟାକ୍ସିସେନ୍ ବନ୍ଦ ଥିବା ବେଳେ ମାତ୍ର ୫୭୯ଟି ସେଣ୍ଟରରେ ଟିକାକରଣ ଚାଲିଛି। ଯେଉଁ ସବୁ ଜିଲ୍ଲାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେଠାକୁ ଅଧିକ ଟିକା ପଠାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼, ଖୋର୍ଦ୍ଧା, କଳାହାଣ୍ଡି ଓ ନୂଆପଡ଼ା କରୋନାର ଦ୍ୱିତୀୟ ଲହରରେ ସବୁଠି ବେଶୀ ପ୍ରଭାବିତ ହୋଇଛି। ଏହି ୪ ଜିଲ୍ଲା ଗତ ୨୪ ଘଣ୍ଟାରେ ରାଜ୍ୟରେ ସମୁଦାୟ ୧୩ ଶହ ୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭, ଖୋର୍ଦ୍ଧାରୁ ୧୫୮ ଓ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି ୯୦ ଜଣ। ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ସୁନ୍ଦରଗଡ଼ର ସ୍ଥିତି। ଏହି ଜିଲ୍ଲାରୁ ୯ ତାରିଖରେ ୨୨୪, ୧୦ରେ ୩୫୫ ଓ ଆଜି ୩୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ରାଉରକେଲା ଓ ବାଲିଶଙ୍କରା ଅଂଚଳରୁ ଅଧିକ କେଶ୍ ବାହାରୁଛି। ଉଭୟ ଛତିଶଗଡ଼ ଓ ଝାରଖଣ୍ଡ ସୀମା ସୁନ୍ଦରଗଡ଼କୁ ଲାଗିଥିବାରୁ ପଡ଼ୋଶୀ ରାଜ୍ୟ ପ୍ରଭାବରେ ଏଠାରେ ସଂଖ୍ୟା ବଢୁଥିବା କୁହାଯାଉଛି।

ଖାସ୍ ସେଥିପାଇଁ ନିକଟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସ୍ ନିକୁଂଜ ଧଳ ସୁନ୍ଦରଗଡ଼ ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ। ଛତିଶଗଡ଼ ପ୍ରଭାବରେ ନୂଆପଡ଼ା ସମେତ ସୀମାବର୍ତ୍ତି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ିବା ପରେ ବର୍ଡର ସିଲ୍ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ଏଣେ ରାଜଧାନୀ ଭୁବନଶ୍ୱରରେ ବି ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଏଠାକାର ରେଳ ଷ୍ଟେସନ ଓ ବିମାନ ବନ୍ଦରରରେ ଚେକିଂ ଜୋରଦାର୍ କରାଯାଇଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି ଚାରି ଦିନିଆ ଟିକା ଉତ୍ସବ। ଯେମିତି ଜଣେ ବି ଯୋଗ୍ୟବ୍ୟକ୍ତି ଟିକା ପାଇବାରୁ ବଂଚିତ ନ ହେବେ ସେଥିପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଟିକା ଉତ୍ସବ ପାଳନ କରାଯାଉଛି। ଅଧିକ ସଂକ୍ରମିତ ବାହାରୁଥିବା ଜିଲ୍ଲାକୁ ଗୁରୁତ୍ୱ ଦେଇ ଟିକା ପଠାଯାଇଛି। ତେବେ ଟିକାକରଣରେ ବାଧା ସୃଷ୍ଟି କରିଛି ଟିକାର ଅଭାବ। ଏଥିଯୋଗୁଁ ୯ଶହ କେନ୍ଦ୍ର ବନ୍ଦ ହୋଇଯାଇଛି। କେବଳ ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଆଗକୁ ଠିକ୍ ଭାବେ ଟିକା ଯୋଗାଣ ନହେଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ଗୋଟିଏ ପଟେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଆକଳନ କରିଛନ୍ତି ଲୋକେ କରୋନା ନିୟମର କଡ଼ାକଡ଼ି ଭାବେ ପାଳନ ନକଲେ ଓଡ଼ିଶାରେ ବି ମହାରାଷ୍ଟ୍ର, ଛତିଶଗଡ଼ ଭଲି ସ୍ଥିତି ଉପୁଜିପାରେ। ତେଣୁ କରୋନାକୁ ରୋକିବାକୁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ମାନିବାକୁ କୁହାଯାଉଛି।

ରାଉରକେଲାରୁ ପଓ୍ୱନ ତିଓ୍ୱାରୀ, ସୁନ୍ଦରଗଡ଼ରୁ ବିଜୟ ବରୁଆ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like