ଚିନ୍ତା ବଢ଼ାଉଛି କୋଭିଡ ବର୍ଜ୍ୟବସ୍ତୁ, ସୁପରିଚାଳନା ନହେଲେ ବିପଦ..

କଟକ: କଲବଲ କରିଚାଲିଥିବା କରୋନା ଭୂତାଣୁର ଭୟ ଭିତରେ ଏବେ ଚିନ୍ତା ବଢ଼ାଉଛି ମାସ୍କଠୁ ଆରମ୍ଭ କରି ଗ୍ଲୋବ୍ସ, ପିପିଇ କିଟ୍ ଆଦି ବ୍ୟବହୃତ କୋଭିଡ୍ ସାମଗ୍ରୀ । କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ଏସବୁ ସାମଗ୍ରୀ ଏବେ ପଡ଼ିରହୁଛି ଏତେତେଣେ । ଗାଁଠୁ ସହର ଯାଏଁ ବିକ୍ଷିପ୍ତ ଭାବେ ଫୋପଡ଼ା ଯାଉଛି ଏସବୁ ସାମଗ୍ରୀ । ମହାମାରୀ ବେଳେ ସଂକ୍ରମଣ ଚିନ୍ତା ବଢାଇଛି ଏହି କୋଭିଡ ବର୍ଜ୍ୟବସ୍ତୁ । କଟକ ମହାନଦୀ ବନ୍ଧର ଜଗତପୁର ରାସ୍ତା ପେପସୀ ରୋଡ୍ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବନ୍ଧ କଡେ କଡେ କୋଭିଡ ବର୍ଜ୍ୟବସ୍ତୁ ପଡିଥିବା ଦେଖିବାକୁ ମିଳିଛି ।

Covid Wastage

ଫେସ୍ ମାସ୍କ, ଫେସ୍ ସିଲ୍ଡ, ଗ୍ଲୋଭସ, ପିପିଇ କିଟ୍ ପଡିଥିବା ଦେଖିବାକୁ ମିଳିଛି । ତେବେ ଗତ କିଛିଦିନ ହେଲା ଏଗୁଡିକ ସେଠାରେ ପଡିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ବୁଧବାର କେହି ଏଗୁଡିକରେ ନିଆଁ ଲଗାଇ ପୋଡିଦେଇଥିବା ଦେଖିବାକୁ ମିଳିଥିଲା । ତେବେ ନଦୀକୂଳରେ ଏଭଳି କୋଭିଡ ବାୟୋ ୱେଷ୍ଟ ପଡିବାକୁ ନେଇ ଚିନ୍ତାରେ ସ୍ଥାନୀୟବାସିନ୍ଦା ।

ଏହାକୁ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ସିଏମସି ଏବଂ କମିଶନରଙ୍କୁ ଟ୍ୱିଟ୍ କରି ଏଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି । ତେବେ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Covid Wastage

ସେହିଭଳି ଖୋଦ୍ ରାଜଧାନୀରେ ମଧ୍ୟ ଏଣେତେଣେ ବିକ୍ଷିପ୍ତ ଭାବେ ପଡିରହୁଛି ବ୍ୟବହୃତ କୋଭିଡ୍ କିଟ୍ । ଭୁବନେଶ୍ୱର ବିମାନବନ୍ଦର ବାହାରେ ହେଉ କିମ୍ବା ରେଳଷ୍ଟେସନ । ଏପରିକି ସତ୍ୟନଗର ମଶାଣି ଇଲାକା, ସବୁଠି ପଡ଼ିରହିଛି ପିପିଇ କିଟ୍, ମାସ୍କ, ଗ୍ଲୋଭ୍ସ । ଏସବୁ ସ୍ଥାନରେ କେଉଁଠି ଡଷ୍ଟବିନ୍ ଅଛି ତ ଆଉ କେଉଁଠି ନାହିଁ । ତାକୁ ନେଇ ଲୋକେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  କରୋନା କାଳରେ ବାୟୋ ମେଡ଼ିକାଲ୍ ୱେଷ୍ଟ ପ୍ରାୟ ୧୫ରୁ ୨୦ ଗୁଣା ବଢ଼ିଯାଇଛି ।

Covid Wastage

ଅନ୍ୟପଟେ ସଚେତନତାର ଅଭାବରୁ ସେସବୁକୁ ଗୋଟାଇ କିଏ ବ୍ୟବହାର କରୁଛନ୍ତି ତ ଆଉ କେଉଁଠି ଜନବସତି ଅଞ୍ଚଳରେ ଏହା ପଡ଼ିରହିଛି । ଯାହା ଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ୁଛି । ମାସ୍କ ହେଉ କି ଗ୍ଲୋବ୍ସ । ପିପିଇ କିଟ୍ ହେଉ କି ଫେସ୍ ସିଲ୍ଡ । କରୋନା କାଳରେ ସାଜିଛି ସୁରକ୍ଷା କବଚ । ପିଲାଠୁ ବୟସ୍କଙ୍କ ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ତାଲିକାରେ ଯୋଡ଼ି ହୋଇଯାଇଛି ଏସବୁ କୋଭିଡ୍ ସାମଗ୍ରୀ । କିନ୍ତୁ ଚିନ୍ତା ବଢ଼ାଇଛି ବ୍ୟବହାର ପରେ ଏସବୁ ସାମଗ୍ରୀର ପରିଚାଳନା । ଅଧିକାଂଶ ସ୍ଥାନରେ ବ୍ୟବହାର ପରେ ଏସବୁ ସାମଗ୍ରୀ ଫିଙ୍ଗି ଦିଆଯାଉଛି ।

Covid Wastage

ଗଜପତି ଜିଲ୍ଲା ଲୁହାଗୁଡି ଛକରେ ମଧ୍ୟ ଏଭଳି କୋଭିଡ୍ ବର୍ଜ୍ୟବସ୍ତୁ ଫିଙ୍ଗା ଯାଇଥିଲା । ଯାହାର ପରିଣାମ ମଧ୍ୟ ସାମ୍ନାକୁ ଆସିଛି । ଜଣେ ମାନସିକ ବିକୃତ ମହିଳା ରାସ୍ତା କଡ଼ରୁ ପିପିଇ କିଟ୍ ଗୋଟାଇ ପିନ୍ଧିବା ସହ ଏଣେତେଣେ ବୁଲୁଥିବା ଦେଖାଯାଇଥିଲା । ତାଙ୍କୁ ଦେଖି କିଏ ବାଇକ୍ ଛାଡ଼ି ଦୂରକୁ ଚାଲି ଯାଉଛନ୍ତି ତ ଆଉ କିଏ ଲାଠି ଧରି ଗୋଡ଼ାଉଛନ୍ତି । ମେଡିକାଲ ଟିମ୍ ପାଖରେ ଏହି ଖବର ପହଞ୍ଚିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି ।

You might also like