କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ବ୍ୟକ୍ତି। ସେବାକୁ ନିଜ ଧର୍ମ ଭାବି କିଏ ନିଜକୁ ଆମ୍ବୁଲାନ୍ସ ଡ୍ରାଇଭର ସଜେଇଛି ତ ଆଉ କିଏ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ସେବା ଧର୍ମକୁ ପାଳନ କରୁଛନ୍ତି।

କରୋନା ଯୋଦ୍ଧା ସୁରଜ ରାଉତ। ରାତି ପାହିଲେ ପିପିଇ କିଟ୍ ପିନ୍ଧି ସେ ଅପେକ୍ଷା କରିଥାନ୍ତି ଫୋନ୍‌ କଲ୍‌ର, ଆଉ ଫୋନ ଆସିବା ମାତ୍ରେ ବାହାରି ପଡନ୍ତି ସେବା କ୍ଷେତ୍ରକୁ। ପେଶାରେ ସୁରଜ ଜଣେ ଠିକାଦାର। ହେଲେ କରୋନା କାଳରେ ନିଜକୁ ସେ ସମାଜସେବାରେ ଉତ୍ସର୍ଗ କରିଛନ୍ତି। ଖୋର୍ଦ୍ଧା କିମ୍ବା ଆଖପାଖ ଅଞ୍ଚଳରୁ ଫୋନ ଆସିଲେ ନିଜ ଗାଡ଼ିରେ କରୋନା ରୋଗୀଙ୍କୁ ବସାଇ ମେଡିକାଲ ଆଣନ୍ତି। କେବେଳ ଏତିକି ନୁହେଁ ମେଡିକାଲରେ ବେଡ୍ ଯୋଗାଇବା ସହ ଆକ୍ରାନ୍ତଙ୍କ ଲାଗି ସବୁ ବ୍ୟବସ୍ଥା କରିଥାନ୍ତି। ଏଭଳି ସେବା ଯୋଗାଇବା ଦ୍ୱାରା ସେ ଆତ୍ମସନ୍ତୋଷ ଲାଭ କରୁଥିବା ସୁରଜ୍ କହିଛନ୍ତି । କରୋନା ରୋଗୀଙ୍କ ସହାୟତା ଲାଗି ସେ ନିଜର ଫୋନ ନମ୍ବର 7978756372 କୁ ସାର୍ବଜନୀନ କରିଛନ୍ତି।

ସେହିପରି ଭୁବନେଶ୍ୱରରେ ଗୁରୁତର ‌ଆକ୍ରାନ୍ତ ଲାଗି ଅକ୍ସିଜେନ ସେବା ଯୋଗାଉଛି ପଟିଆର ସତ୍ୟସାଇ ସେବା ଟ୍ରଷ୍ଟ।7008922692 କିମ୍ଭା 8917383019 ରେ ଫୋନ୍ କଲେ ଆକ୍ରାନ୍ତଙ୍କ ଘରେ ପହଞ୍ଚି ଯାଉଛି ଅକ୍ସିଜେନ। ୩ଟି ସିଲିଣ୍ଡରରୁ ସେବା ଯୋଗାଇ ଆସୁଥିବା ଏହି ଟ୍ରଷ୍ଟ ଏବେ ୧୦ ଟି ସିଲିଣ୍ଡର ସହ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସେବା ଯୋଗାଉଛି।

କରୋନାର ଦ୍ୱିତୀୟ ଲହରରେ ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସମୟରେ ଦେବଦୂତ ସାଜି ସୁରଜ ରାଉତ ଓ ସତ୍ୟସାଇ ଟ୍ରାଷ୍ଟ ଯେଉଁ ସେବା ଯୋଗାଉଛନ୍ତି ତାକୁ ବୁଦ୍ଧିଜୀବୀ ପ୍ରଂଶସା କରିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୭୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୧୧ ଜଣ ଚିହ୍ନଟ ହୋଇ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧,୦୧୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

You might also like