ବୁଲି ବୁଲି ଭିକ୍ଷା ମାଗିଲେ କୋଭିଡ ଯୋଦ୍ଧା

ଭଦ୍ରକ( ପାର୍ଥ ସାରଥୀ ନାୟକ): ଦିନେ କୋଭିଡ ଯୋଦ୍ଧାଙ୍କୁ ମିଳୁଥିଲା ସମ୍ମାନ। କେତେବେଳେ ଫୁଲତୋଡା ଦେଇ ସ୍ୱାଗତ କରୁଥିଲେ ତ କେତେବେଳେ ହେଲିକପ୍ଟରରୁ ଫୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରୁଥିଲେ। ହେଲେ ଏବେ ସେମାନଙ୍କୁ ପର କରି ଦଇଛନ୍ତି ସରକାର। ଚାକିରିରୁ ବାହାର କରି ଦେଇଛନ୍ତି।  ଏବେ ସେମାନଙ୍କ ପାଖରେ ନା ଅଛି ଚାକିରି ନା ଅଛି ପେଟ ପୋଷିବାର ଅନ୍ୟ ପନ୍ଥା। କୋଭିଡ ଯୋଦ୍ଧାମାନେ ଏବେ ବୃତ୍ତି ହରାଇ ଏବେ ଭିକ୍ଷାବୃତ୍ତି ଆପଣେଇ ଅଭିନବ ପ୍ରତିବାଦ ଜଣାଇଛନ୍ତି।

ସରକାରଙ୍କ ଏପରି ନୀତିକୁ ପ୍ରତିବାଦ କରିଛନ୍ତି କୋଭିଡ ଯୋଦ୍ଧା।  ଭଦ୍ରକ ସହରରେ କୋଭିଡ ଯୋଦ୍ଧା ଅଭିିନବ ଉପାୟରେ ପ୍ରତିବାଦ କରିଛନ୍ତି । ବୃତ୍ତି ହରାଇବାପରେ ସେମାନେ ଭିକ୍ଷାବୃତ୍ତି କରି ପ୍ରତିବାଦ କରିଛନ୍ତି । ପାରାମେଡିକାଲ ଷ୍ଟାଫ ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର ଦାବି କରି ଦୀର୍ଘ ଦିନ ହେବ ପ୍ରତିବାଦ କରୁଥିଲେ । ତେବେ ପ୍ରଶାସନ ନଶୁଣିବାରୁ ଶେଷରେ ରାସ୍ତା ଉପରେ ଭିକ୍ଷା ବୃତ୍ତି କରି ପ୍ରତିବାଦ ଜଣାଇଛନ୍ତି ।

କୋଭିଡ ଯୋଦ୍ଧା ଅଶ୍ୱିନୀ ପାଢୀ। ଦେହରେ କୋଭିଡ ପୋଷାକ ପିନ୍ଧି ହାତରେ ଭିକ୍ଷାଥାଳ ଧରି ଭଦ୍ରକ ସହରରେ ବୁଳୁଛନ୍ତି। ସେ କହିଛନ୍ତି, କୋଭିଡ ଯୋଦ୍ଧା ଭାବେ ସରକାର ଆମକୁ ୬ ମାସ ପାଇଁ ନିଯୁକ୍ତି ଦେଇଥିଲେ । କୋଭିଡ ସମୟରେ ସେ ନିଜେ ଫାର୍ମସିଷ୍ଟ ଭାବେ କାମ କରୁଥିଲେ। ୬ ମାସ ପରେ ୯ମାସ, ତା ପରେ ୧୦ ସରକାର କାମରେ ରଖିଲେ। ଏବେ ବାହାର କରି ଦେଇଛନ୍ତି। ପୂର୍ବରୁ କରୁଥିବା ଚାକିରୀ ହରେଇଲୁ। ଏବେ ଚଳିବୁ କେମିତି ? ପରିବାର ଆମର ବଞ୍ଚିବ କେମିତି ବୋଲି ଅଶ୍ୱିନୀ ପ୍ରଶ୍ନ କରିଛନ୍ତି।

ସୂଚନାଥାଉ କି, ଦୀର୍ଘ ୧୦ ମାସ ହେବ ପାରାମେଡିକାଲ ଷ୍ଟାଫ୍ କୋଭିଡ ଯୋଦ୍ଧାଙ୍କୁ ସରକାର ପ୍ରସଂଶାରେ ପୋତି ପକାଉଥିଲେ । ଏବେ କରୋନା ସ୍ଥିତି କମିବା ପରେ ତାଙ୍କୁ ଛଟେଇ କରିଛନ୍ତି। ଏବେ ଭିକ୍ଷାବୃତ୍ତି କରି ଆଗକୁ ପରିବାର ପ୍ରତିପୋଷଣ କରିବେ ବୋଲି କହିଛନ୍ତି ଏହି କୋଭିଡ ଯୋଦ୍ଧା । ଅନ୍ୟପଟେ ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

You might also like