ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ। ଏନେଇ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ।ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ତେବେ ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ACS ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଛନ୍ତି। ରବିବାର ଛାଡ଼ି ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯିବ। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍ ରହିବ। ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ANMଙ୍କୁ ଟିକା କାମରେ ଲଗାଯିବନି। ବ୍ଲକସ୍ତରରେ ଟିକା ଗଚ୍ଛିତ, ଯୋଗାଣ କାର୍ଯ୍ୟ ସୁନିୟନ୍ତ୍ରିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବ୍ରୁଆରୀ ୨୮ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ ଗତ ୨୪ ଘଣ୍ଟାରେ ୧୩ ହଜାର ୭୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୫୧ ଜଣ ଥିବା ବେଳେ କେରଳରୁ ୧୪ ଜଣ ଅଛନ୍ତି। ସେପଟେ ଦିଲ୍ଲୀରେ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ସେପଟେ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର ,ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଉଛି । ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ତେବେ ନୂଆ ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଚାଲିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

You might also like