କାଲିଠୁ କୋଭିଡ୍ ଭ୍ୟାକ୍ସିନ୍‌ର ଡ୍ରାଏ ରନ୍ ଆରମ୍ଭ ‌; ରାଜ୍ୟର ୩୧ଟି ପଏଣ୍ଟରେ ଦିଆଯିବ ଡମି ଟିକା

ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସନ୍ ପାଇଁ ପ୍ରଥମେ ମକ୍‌ଡ୍ରିଲ୍ ହେବ। ଟିକା ଆସିଲେ କେମିତି ସୁରୁଖୁରୁରେ ବିତରଣ କରାଯିବ ସେଥିପାଇଁ ଆସନ୍ତାକାଲି ଡ୍ରାଏ ରନ୍ ହେବାକୁ ଯାଉଛି। ସାରାଦେଶରେ ଏହି ମକ୍‌ଡ୍ରିଲ୍ ହେଉଥିବା ବେଳେ ରାଜ୍ୟର ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ। ଡ୍ରାଏ ରନ୍‌ରୁ ଆରମ୍ଭ କରି ଟିକା ଆସିଲେ କେମିତି କୋଲ୍ଡ ଚେନ୍‌ର ବ୍ୟବହାର ହେବ ସେନେଇ ରାଜ୍ୟରେ ସମସ୍ତ ପ୍ରସ୍ତୁତି ସରିଛି।

୪ ରାଜ୍ୟରେ କରୋନା କବଚ ପ୍ରସ୍ତୁତିର ପରୀକ୍ଷଣ ପରେ କାଲିଠୁ ସାରା ଦେଶରେ ଭ୍ୟାକ୍ସିନେସନ୍ ମକ୍‌ଡ୍ରିଲ୍ଏ ହେବାକୁ ଯାଉଛି। ଏଥିପାଇଁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ବି ପ୍ରସ୍ତୁତ ହୋଇ ରହିଛି। ରାଜ୍ୟର ୩୧ଟିି ପଏଣ୍ଟରେ ଭ୍ୟାକ୍ସିନେସନ୍ ଡ୍ରାଏ ରନ୍ ହେବାକୁ ଥିବା ବେଳେ ଏଥିପାଇଁ କିପରି ରଣନୀତି ପ୍ରସ୍ତୁତ ହୋଇଛି ଆସନ୍ତୁ ଜାଣିବା।

ପ୍ରତି ପଏଣ୍ଟରେ ୫ ଜଣ ଭେକ୍ସିନେଟର ରହିବେ। ୨୫ ଜଣ ହେଲ୍ଥ କେୟାର ଓ୍ୱାର୍କରଙ୍କୁ ନେଇ ଡମି ଟିକାକରଣ କରାଯିବ। ମକ୍‌ଡ୍ରିଲ୍ ପାଇଁ ୩ଟି ରୁମ ରହିବ। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଂଚ କରାଯିବ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ ରୁମ୍‌କୁ ଛଡ଼ାଯିବ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭେକ୍ସିନେସନ ରୁମ୍‌କୁ ପଠାଯିବ। ଟିକାକରଣ ପରେ ଅବଜରଭେସନ ରୁମରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖାଯିବ। ଏଠାରେ ୨ ଜଣ ଅଧିକାରୀ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ, ତେବେ ଦାୟିତ୍ୱରେ ଥିବା ଅଧିକାରୀ ଡାକ୍ତରଙ୍କୁ ଖବର ଦେବା ସହ ତୁରନ୍ତ ଚିକିତ୍ସା କରାଯିବ।

ରାଜ୍ୟରେ ସବୁ ଜିଲ୍ଲାରେ ଡ୍ରାଏ ରନ୍‌ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିବା ବେଳେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ଖାଲି କ୍ୟାପିଟାଲ ହସ୍‌ପିଟାଲରେ ୩ଟି ସ୍ଥାନରେ ଡ୍ରାଏ ରନ୍ କରିବା ପାଇଁ ସେମାନେ ମୁଳରୁ ପ୍ରସ୍ତାବ ଦେଇଥିଲେ। ହେଲେ ସବୁ ଜିଲ୍ଲା ମୁଖ୍ୟାଳୟରେ ଡ୍ରାଏ ରନ୍‌ କରାଇବା ପାଇଁ କହିଥିଲୁ। ସେମାନେ ଏଥିରେ ରାଜି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ କହିଥିଲେ।

ଭ୍ୟାକ୍ସିନ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କିଏ ପାଇବେ ଟିକା ଓ କେମିତି ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ ଭ୍ୟାକ୍ସିନ ? ଏଥିପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ଭେକ୍ସିନ ଆସିବା ପରେ ପ୍ରଥମେ ଏହାକୁ ଷ୍ଟେଟ୍ ଭେକ୍ସିନେସନ୍ ଷ୍ଟୋରରେ ରଖାଯିବ। ଏହାପରେ ଟିକାକୁ ୯ଟି ଆଞ୍ଚଳିକ ଷ୍ଟୋରକୁ ପଠାଯିବ। ଏଠାରୁ ୩୨ଟି ଜିଲ୍ଲାସ୍ତରୀୟ ଭ୍ୟାକସିନ୍ ଷ୍ଟୋରକୁ ଟିକା ଯିବ। ଏହାପରେ ୧ ହଜାର ୨ ଶହ ୨୨ କୋଲ୍ଡ ଚେନ୍ ପଏଣ୍ଟକୁ ଭ୍ୟାକ୍ସିନକୁ ନିଆଯିବ। ଏଠାରୁ ୨୯ ହଜାର ୨୭୬ ଟିକାକରଣ କେନ୍ଦ୍ରକୁ ଭ୍ୟାକ୍ସିନ ନିଆଯାଇ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ ଆମର ୧୨୨୨ ବି କୋଲ୍ଡ ଚେନ୍‌ ପଏଣ୍ଟ ରହିଛି। ସବୁଥିରେ ଆଇଏଲ୍‌ଆର୍‌ ମହଯୁଦ ଅଛି। ଏକ୍ସଟ୍ରା ମଗାଯାଇଛି। ଦରକାର ପଡ଼ିଲେ କାମରେ ଲଗାଯିବ ବୋଲି କହିଛନ୍ତି ବିଜୟ। ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ମଧ୍ୟ ଡ୍ରାଏ ରନ୍‌ ବିଷୟରେ ସୂଚନା ଦେଇଥିଲେ।

You might also like