କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ACS। ଏଥିରେ ଉଲ୍ଲେଖ ହୋଇଛି ଯେ, ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ରିପୋର୍ଟ ଆସିବା ଯାଏ ସାମ୍ପୁଲ ଦେଇଥିବା ଲୋକକୁ କ୍ୱାରେଣ୍ଟାଇନରେ ରହିବାକୁ  ହେବ। ଏନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଦିନ RTPCR ସାମ୍ପୁଲ ସଂଗ୍ରହ ହେବ, ସେହିଦିନ ଲ୍ୟାବକୁ ପଠାଇବାକୁ ମଧ୍ୟ କୁହାଯାଇଛି।

ସେହିଭଳି ସାମ୍ପୁଲ ଦେଉଥିବା ଲୋକଙ୍କୁ ରେଜଲ୍ଟ ଯଥାଶୀଘ୍ର ଜଣାଇବା ଏବଂ ପଜିଟିଭ ରିପୋର୍ଟ ଆସିଥିବା ଲୋକକୁ ତୁରନ୍ତ ଆଇସୋଲେଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ଅନ୍ୟପଟେ ରାଜ୍ୟରେ ଟିକା ସରିବାକୁ ବସିଥିବା ବେଳେ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଟିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଚିଠିରେ କୁହାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ବିଭାଗ ACS ଏହି ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠିରେ ଦର୍ଶାଯାଇଛି। ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ଥିବା ବେଳେ ଜୁନ, ଜୁଲାଇ, ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ରହିଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ସେହିଭଳି ମେ’ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଦେବାକୁ ଚିଠି ଲେଖିଛନ୍ତି ACS। ବାକି ୫.୩୪ ଲକ୍ଷ ଡୋଜ୍ ଜୁନ୍ ୧୫ ସୁଦ୍ଧା ଦେବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ଗୁରୁବାର ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ଜାରି ରହିଥିବା ସୂଚନା ମିଳିଛି। ଗୁରୁବାର ୩୦୨ କେନ୍ଦ୍ରରେ ଟିକାକରଣ ଚାଲିଛି।  ବୁଧବାର ୯୦ ହଜାର ଟିକା ଆସିଥିଲା, ସବୁ ଜିଲ୍ଲାକୁ ଏହା ଦିଆଯିବ ବୋଲି କୁହାଯାଇଛି। ବୁଧବାର ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ ଜଣ ଟିକା ନେଇଛନ୍ତି।

You might also like