ଯୁବଗୋଷ୍ଠୀଙ୍କ ପାଇଁ ସତର୍କବାଣୀ ! କରୋନାକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର: କରୋନାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଛି ମହାମାରୀ କରୋନା। ଏପରିକି ୧୮ ବର୍ଷରୁ କମ୍ ବୟସର ପିଲା ବି କରୋନା ସଂକ୍ରମିତ ହେଉଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ନୂଆ ତଥ୍ୟ ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲା ଓ ଶିଶୁ ଅଧିକ ସଂକ୍ରମିତ ହେଉଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ‘କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଖୁବ୍‌ ଶୀଘ୍ର ଲୋକମାନେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ଯୁବ ଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏକ ଷ୍ଟଡିରୁ ଜଣାପଡ଼ିଛି, ପାଖାପାଖି ୮% ୧୮ ବର୍ଷରୁ କମ୍‌ ବୟସର ପିଲା ସଂକ୍ରମିତ ହେଉଛନ୍ତି। ପୂର୍ବରୁ ଶିଶୁମାନେ କରୋନା ସଂକ୍ରମିତ ହେଲେ ତାହା ଅଧିକ ଗୁରୁତର ହେଉନଥିଲା ଓ ଅଧିକାଂଶ ଲକ୍ଷଣବିହୀନ ଥିଲେ। ହେଲେ ଏବେ ଶିଶୁମାନଙ୍କ ଶରୀରରେ ଗୁରୁତର ଲକ୍ଷଣ ଦେଖିବାକୁ ମିଳିଛି। ଯଦି ଠିକ୍‌ ସମୟରେ ଆମେ ସେମାନଙ୍କର ଚିକିତ୍ସା ନକରିବା ତା’ହେଲେ ସେମାନଙ୍କର ଜୀବନ ବିପଦରେ ପଡ଼ିପାରେ।’

ସେହିପରି ଟିକାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଗତକାଲି ୧ ହଜାର ୫୦ କେନ୍ଦ୍ରରେ ଟିକା ଦିଆଯାଇଛି। ଆଜି ୭ ଶହ କେନ୍ଦ୍ରରେ ଟିକାକରଣ କରାଯାଉଛି। ଟିକା ଅଭାବରୁ ୮ ଶହ କେନ୍ଦ୍ର ବନ୍ଦ ଅଛି। କୋରାପୁଟ ଜିଲ୍ଲାରେ ଟିକାକରଣ ପୁରା ବନ୍ଦ ଅଛି। ଆଜି ୩ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷ ୧୦ ହଜାର ୭୮୦ ଲୋକଙ୍କୁ ଟିକା ଦିଆଗଲାଣି।

ଅନ୍ୟପକ୍ଷେ, ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଏବେ କରୋନା ଦ୍ରୁତ ଗତିରେ ବଢ଼ୁଛି। କିଛିଦିନ ଭିତରେ ଦେଖିବାକୁ ମିଳିଛି, ଭାଇରସ୍‌ର ସଂକ୍ରମଣ କ୍ଷମତା ବଢ଼ି ଯାଇଛି। ଫଳରେ ଏହାଦ୍ୱାରା ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି। କିନ୍ତୁ ଅଧିକାଂଶ ଲୋକ ଲକ୍ଷଣବିହୀନ କିମ୍ବା କମ୍‌ ପରିମାଣରେ ସେମାନଙ୍କ ନିକଟରେ ଲକ୍ଷଣ ଦେଖିବାକୁ ମିଳିଛି। ଲୋକେ ସଚେତନ ନ ହେଲେ ଆଗକୁ ଅଧିକ ସଂକ୍ରମଣ ହେବ।’

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଲାଗୁ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍‌ ସହରରେ କଡ଼ା କଟକଣା ଲଗାଯାଇଛି।

ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି।

You might also like