ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ। ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି। ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ଆଉ ୨ ମୁଣ୍ଡ ନେବା ସହ ୪୬୯ ଲୋକଙ୍କୁ ଆକ୍ରାନ୍ତ କରିଛି। ଏଣେ ସ୍ଥିତି ଧୀରେ ଧୀରେ  ଅଣାୟତ୍ତ ହେଉଥିବାରୁ କିଛି ଅଞ୍ଚଳରେ ପୁଣି ସଟଡାଉନ୍ ସହ କଟକଣା ଜାରି କରିଛନ୍ତି ବିଭିନ୍ନ ଜିଲ୍ଲା ପ୍ରଶାସନ।

ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୁକ୍ରବାର ୫୬୧, ଶନିବାର ୪୯୫ ପରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬୯ ଜଣ ଆକ୍ରାନ୍ତ। ୩ ଦିନରେ ୧୫ ଶହରୁ ଅଧିକ ନୂଆ କେସ୍ ସହ ରାଜ୍ୟରେ ୯ ହଜାର ପାର ହୋଇଛି ଆକ୍ରନ୍ତଙ୍କ ସଂଖ୍ୟା। ଏପଟେ ଦୃତ ସଂକ୍ରମଣ ସହ ସମତାଳରେ ମୁଣ୍ଡ ବି ନେଉଛି ମହାମାରୀ। ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା।

ଗଜପତି ଜିଲ୍ଲାର ଜଣେ ୪୦ ବର୍ଷୀୟ ଯୁବକ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି। ଫଳରେ ୩୬କୁ ବୃଦ୍ଧି ପାଇଛି କୋଭିଡ୍ ମୃତ୍ୟୁ ସଂଖ୍ୟା। ଏଣେ ଉଭୟ ଆକ୍ରାନ୍ତ (୨,୧୮୨) ଓ ମୃତକ (୨୦)ଙ୍କ ସଂଖ୍ୟାରେ ଦୈନିକ ନୂଆ ରେକର୍ଡ କରୁଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଅଧିକ ଦୟନୀୟ ହେଉଥିବାରୁ ଆଗକୁ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ସେ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ।

କଟକ, ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ସଂକ୍ରମଣର ପ୍ରାଦୁର୍ଭାବକୁ ଦେଖି ସ୍ୱତନ୍ତ୍ର ଭାବେ କଟକଣା ଜାରି ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। କେନ୍ଦୁଝର ବଡବିଲରୁ ଚିହ୍ନଟ ୧୧ ପଜିଟିଭ ଲୋକାଲ କେଶ୍ ଜଣାପଡ଼ିବା ପରେ ବଡ଼ବିଲ ସହରକୁ ସପ୍ତାହେ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକ୍ରେ।

ରାଉରକେଲା ସହରରେ କୋଭିଡ୍ ସଂକ୍ରମଣ ରୋକିବାକୁ କଡ଼ା କଟକଣା ଜାରି କରିଛି ପ୍ରଶାସନ। ଅତି ସଂକ୍ରମିତ ୧୪ ଜିଲ୍ଲାରୁ କେହି ରାଉରକେଲା ଆସିଲେ କିମ୍ବା କେହି ୫ ଘଣ୍ଟା ପାଇଁ ସହର ବାହାରକୁ ଗଲେ ବି ୧୪ ଦିନିଆ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ କରାଯାଇଛି। ଏପରିକି ବିବାହ ପାଇଁ ରାଉରକେଲା ଆସିଲେ ବରକୁ ବି ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ଏହାପରେ ବିବାହ ପାଇଁ ଅନୁମତି ମିଳିବ ବୋଲି ରାଉରକେଲା ଏଡିଏମ୍ ଅବୋଲି ସୁନୀଲ ନରୱଣେ ସୂଚନା ଦେଇଛନ୍ତି।

ଏପେଟ ରାଜଧାନୀରେ ଆଜି ଚିହ୍ନଟ ୧୯ ପଜିଟିଭଙ୍କ ମଧ୍ୟରୁ ୧୦ଟି ଲୋକାଲ କେଶ୍ ଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ସେହିଭଳି ବିଡିଏ ପରେ ବିଏମ୍‌ସିରେ କରୋନା ପ୍ରବେଶ ସହ ୨ ଜଣ ଇଞ୍ଜିନିୟର ସଂକ୍ରମିତ ହୋଇଥିବାରୁ ବିଏମ୍‌ସି ପୂରା ଇଞ୍ଜିନିୟରିଂ ବିଭାଗକୁ ସିଲ୍ କରିଛି।

You might also like