ମରିବାର ୧୦ ଦିନ ପରେ ଘରକୁ ଫୋନ୍‌ କଲ ଯାଉଛି ଆପଣଙ୍କ ବାପା ଭଲ ଅଛନ୍ତି…ତାଙ୍କ ଅକ୍ସିଜେନ୍‌ ଲେବଲ ଠିକ୍‌ ଅଛି

BMC କମିଶନର କହିଲେ ଆମେ ବସେଇବୁ ହେଲ୍ପ ଡେସ୍କ

  • କେତେ ଅପଡେଟ୍ ତଥ୍ୟ ଦେଉଛି କୋଭିଡ୍ ହସ୍ପିଟାଲ ହେଲପ୍‌ଲାଇନ୍‌ ବ୍ୟବସ୍ଥା ?
  • ରୋଗୀ ମରିବାର ୧୦ ଦିନ ପରେ ଆସିଛି ଅବସ୍ଥା ଭଲ ଥିବା ଫୋନ୍ କଲ୍
  • BMC କମିଶନର କହିଲେ ଆମେ ବସେଇବୁ ହେଲ୍ପ ଡେସ୍କ

ଭୁବନେଶ୍ୱର: ରୋଗୀଙ୍କ ସଂପର୍କୀୟକୁ ଚିକିତ୍ସା ବାବଦ ସଠିକ୍ ତଥ୍ୟ ଦେବାକୁ ସତରେ କଣ ତତ୍ପର କୋଭିଡ୍ ହସ୍ପିଟାଲ ହେଲପ୍ଲାଇନ୍ ବ୍ୟବସ୍ଥା ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ରୋଗୀ ମରିବାର ୧୦ ଦିନ ପରେ ବି ସେ ଭଲଥିବା ନେଇ ସମ୍ପର୍କୀୟଙ୍କ ପାଖକୁ ଆସିଛି ଫୋନ୍ କଲ୍। ରାଜଧାନୀର ଏକ ଘରୋଇ କୋଭିଡ୍ ହସ୍ପିଟାଲର ଏଭଳି ଘଟଣାକୁ ନେଇ ବେଶ୍ ଆଲୋଡ଼ନ ଚାଲିଥି। ଆଉ ଖୋଦ୍ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବାକୁ ଆସୁଥିବା ସେମାନଙ୍କ ସମ୍ପର୍କୀୟ ନାକେଦମ୍ ହେଉଥିବା ନେଇ ଅଭିଯୋଗ ମଧ୍ୟ ଆସିଛି।

ଏକ ଫୋନ୍ ବାର୍ତ୍ତାଳାପରୁ ଏମିତି ଖବର ସମ୍ପର୍କରେ ଜାଣିବାକୁ ମିଳିଛି। ଜଣେ ଚିକିତ୍ସାଧିନ କୋଭିଡ୍ ରୋଗୀ ସମ୍ପର୍କରେ କେମିତି ଓ କିଭଳି ଅପଡେଟ୍ ପାଉଥିବେ ତାଙ୍କ ପରିବାର ଲୋକେ? ଏପରି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ…. ଏବେ ଆଶା ଆଶଙ୍କାଗ୍ରସ୍ତରେ ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ। ହେଲେ ରୋଗୀ ମରିବାର ୧୦ ଦିନ ବିତିଲାଣି, ଏମିତିକି ମୃତ ବ୍ୟକ୍ତିଙ୍କ ଦଶାହକର୍ମ ବି ସରିଲାଣି। ହେଲେ ସେ ଚିକିତ୍ସିତ ହୋଇଥିବା ରାଜଧାନୀର ଏକ ସରକାରୀ ଅନୁମୋଦିତ କୋଭିଡ୍ ହସ୍ପିଟାଲରୁ କିନ୍ତୁ କଲ୍ ଆସୁଛି ପେସେଣ୍ଟ ଭଲ ଅଛନ୍ତି, ତାଙ୍କ ଅକ୍ସିଜେନ୍ ଲେବଲ୍ ଠିକ୍ ଅଛି।

ସୂଚନା ଅନୁସାରେ ତାଳଚେର ହାଟତୋଟା ଅଞ୍ଚଳର କର୍ଣ୍ଣବୀର ରାୟ ନାମକ ଜଣେ ବରିଷ୍ଠ ନାଗରିକ କୋଭିଡ୍ ଆକ୍ରାନ୍ତ ହୋଇ ଗତ ୨୫ ତାରିଖରେ ବିଏମ୍ସି ସହାୟତାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କୋଭିଡ୍ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ। ୨୭ ତାରିଖ ମଧ୍ୟାହ୍ନରେ କର୍ଣ୍ଣବୀରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ମନୋଜ ରାୟ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ ବି ହସ୍ପିଟାଲ ପକ୍ଷରୁ କିଛି ବି ସୂଚନା ପାଇନଥିଲେ। ଇନଫୋସିଟି ଥାନାର ହସ୍ତକ୍ଷେପ ପରେ ୨୮ରେ ବାପାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଥିଲେ।

କଥା ଏତିକିରେ ସରିନି, ମୃତ କର୍ଣ୍ଣବୀରଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପ୍ରଥମେ ନେଗେଟିଭ୍, ତାପରେ ପଜିଟିଭ୍ ଓ ମୃତ୍ୟୁ ପୂର୍ବରୁ ପୁଣି ନେଗେଟିଭ୍ ରହିଥିଲା। ଏମିତି ଦ୍ୱନ୍ଦ୍ୱରେ ବି କମ୍ ଧନ୍ଦି ହୋଇନାହାନ୍ତି ସମ୍ପର୍କୀୟ। ଏମିତିକି ରିପୋର୍ଟ ନେଗେଟିଭ୍ ସତ୍ତ୍ୱେ ପରିବାର ଲୋକଙ୍କୁ ଶବ ସତ୍କାର ପାଇଁ ବି ଅନୁମତି ମିଳିଲାନି। ଆଉ ପୁଅ ମନୋଜ ସିଧାସଳଖ ଅଭିଯୋଗ କରିଛନ୍ତି-ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି। ଏ ନେଇ ସେ ଥାନାରେ ଏତଲା ଦେବା ସହ ରାଜ୍ୟ ମାନବାଧିକାର କମିଶନଙ୍କୁ ବି ଅଭିଯୋଗ କରିଛନ୍ତି।

ରାଜଧାନୀରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ କେମିତି ରୋଗୀଙ୍କ ସ୍ୱାସ୍ଥ୍ୟ ସୂଚନା ଟିକିଏ ପାଇବାକୁ ସମ୍ପର୍କୀୟ ଡହଳ ବିକଳ ହେଉଛନ୍ତି ଓ ଭୁଲଭାଲ ତଥ୍ୟ ପାଉଛନ୍ତି ସେ ନେଇ ସାମ୍ନାକୁ ଆସୁଛି ମାଳ ମାଳ ଅଭିଯୋଗ। ଖୋର୍ଦ୍ଧା ପିଚୁକୁଳି ଅଞ୍ଚଳର ଜଣେ ମହିଳା ଜଣକ ନିଜ କରୋନା ଆକ୍ରାନ୍ତ ସ୍ୱାମୀଙ୍କ ଦେହ ପା ଖବର ଜାଣିବାକୁ ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ ଏକ କୋଭିଡ୍ ହସ୍ପିଟାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ହେଲେ କିଛି ଖବର ଜାଣିଲେନି। ଏମିତିକି ମେଡିକାଲ ଭିତରୁ ଆଉ ଜଣେ ରୋଗୀଙ୍କ ଫୋନରୁ ସ୍ୱାମୀଙ୍କ ଆକୁଳ ନିବେଦନ ବି ଶୁଣିକରି ଦେଖିବାକୁ ଆସିଛନ୍ତି। ହେଲେ ଗେଟରେ ସିକ୍ୟୁରିଟି କହିଛନ୍ତି ହେଲ୍ପ ଲାଇନରୁ ବୁଝିନିଅ। ଏଣେ ହେଲ୍ପ ଲାଇନକୁ ଫୋନ୍ ଲଗାଇ ଲଗାଇ ହାଲିଆ ହେଲେଣି ସେ। ସେମିତି ଏହି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଜ ଦାଦାଙ୍କୁ ହରାଇଥିବା ଜଟଣୀର ଦିବ୍ୟସିଂହ ମହାରଣାଙ୍କ ଅଭିଯୋଗ କରିଛନ୍ତି ଯେ,  ତାଙ୍କ ଦାଦାଙ୍କୁ କି ଚିକିତ୍ସା ମିଳିଲା, କେମିତି ତାଙ୍କ ଅବସ୍ଥା ଥିଲା, ଏସବୁ କଥା କିଛି ବି ଜାଣି ପାରିଲେନି। ଏମିତିକି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ଦାଦାଙ୍କ ଅବସ୍ଥା ଭଲଥିବା ବି ହେଲ୍ପ ଲାଇନରୁ ସେ ସୂଚନା ପାଇଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଭଲ ଥାଇ ସେ ପ୍ରାଣ ହରାଇଲେ। ଏମିତି କିଛି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ କଥା।

ଗୋଟିଏ ପଟେ କୋଭିଡ୍ ହସ୍ପିଟାଲ ଭିତରକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ବାରଣ ତ ଅନ୍ୟପଟେ ଚିକିତ୍ସା ତଥ୍ୟରେ ମିଳୁଛି ସାଂଘାତିକ ତ୍ରୁଟି ତଥ୍ୟ। ଏଠି ପ୍ରଶ୍ନ ବିଏମ୍ସି ଅଧୀନସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଆପଣାର ଲୋକଙ୍କ ସମ୍ପର୍କରେ ହେଲ୍ପଲାଇନ୍ ଯାହା କହୁଛି ସବୁ ସତ ତ? ତେଣେ BMC କମିଶନର କହିଛନ୍ତି ରୋଗୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ପହଞ୍ଚାଇବାକୁ ଖୁବ୍ ଶୀଘ୍ର ବିଏମ୍ସି ନିଜେ ସବୁ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବସାଇବ।

ଅନୁଗୁଳରୁ ବିରଜା ଦାସ, ପୁରୀରୁ ମଧୁସୂଦନ ମିଶ୍ର ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

You might also like