କରୋନା ପଞ୍ଝାରେ ଯୁବବର୍ଗ

କାୟା ମେଲାଉଛି କରୋନା

  • ରାଜ୍ୟରେ ବଢ଼ି ଚାଲିଛି କରୋନାର ବିସ୍ଫୋରଣ
  • ଦିନକରେ ୩ ହଜାର ଡେଇଁଗଲା ସଂକ୍ରମଣ ସଂଖ୍ୟା, ୩ମୃତ
  • କାଲିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ
  • ଜୀବନ-ଜୀବୀକାକୁ ନେଇ ଚିନ୍ତାରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ
  • ଯୁବାବର୍ଗଙ୍କୁ ସଂକ୍ରମଣ ଅଧିକ ହେଉଥିବାରୁ ବଢ଼ିଲା ଚିନ୍ତା

 

ଭୁବନେଶ୍ୱର: ଜୋରଦାର ହେଲା କରୋନା ବିରୋଧୀ ଯୁଦ୍ଧ। ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଚଂଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଅତି ପ୍ରଭାବିତ ଛତିଶଗଡ ସୀମାନ୍ତ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ସପ୍ତାହନ୍ତ ସର୍ଟଡାଉନ୍ ବି ରହିବ। ଅନ୍ୟ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ ଲାଗିବ। କଟକଣାକୁ କଡ଼ାକଡ଼ି ପାଳନ ଲାଗି ଜିଲ୍ଲା ପ୍ରଶାସନମାନେ ଜୋରଦାର ପ୍ରସ୍ତୁତି କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଏପଟେ ଗଲା ୨୪ ଘଣ୍ଟାରେ ରାଜ୍ୟରେ ୩୧୦୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ଜୀବନ ନେଇଛି ମହାମାରୀ। କରୋନାର ଦ୍ୱିତୀୟ ଲହର ପିଲା ଓ ଯୁବ ବର୍ଗଙ୍କୁ ବେଶି ଆକ୍ରାନ୍ତ କରୁଥିବାରୁ ଚିନ୍ତା ବଢିଛି।

ରାଜ୍ୟରେ କରୋନାରେ ବିସ୍ଫୋରକ ସ୍ଥିତି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ଦିନକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପି ଥିଲା ବେଳେ ମହାମାରୀ ନେଇଛି ୩ ଜୀବନ। ତେଣୁ ବଢୁଥିବା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର। ଅଧିକ ପ୍ରଭାବିତ ନୂଆପଡା ଜିଲ୍ଲା ଖଡିଆଳ ଏନ୍ଏସିରେ କାଲିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ। ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସରେ ରହିଛି। ଆସନ୍ତାକାଲିଠାରୁ ଏସବୁ ଜିଲ୍ଲାର ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟଡାଉନ୍ ବି ଲାଗିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ମାସ୍କ ଚେକିଂ ସହ ନିୟମ ପାଳନକୁ କଡାକଡି କରାଯାଇଛି।

କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରଚଂଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ। ତେବେ ଦୋକାନ, ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମ୍ସି କମିଶନର। ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟକର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି।

ସେପଟେ କରୋନାର ଦ୍ୱିତୀୟ ଲହର ଯେ କେବଳ ଦୃତ ଗତିରେ ସଂକ୍ରମଣ ହେଉଛି ତା ନୁହେଁ ଶିଶୁ ଓ ଯୁବଗୋଷ୍ଠୀଙ୍କୁ ବି ବେଶି କବଳିତ କରୁଥିବା ନଜରକୁ ଆସିଛି। ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ କମ୍ ପିଲା ଓ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିଛି। ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି। ମାତ୍ର ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଟିକା ନଥିବାରୁ ଯୁବଗୋଷ୍ଠୀଙ୍କୁ କିଭଳି ମହାମାରୀ କବଳରୁ ସୁରକ୍ଷା ଦିଆଯାଇପାରିବ ତାହା ବଡ଼ ପ୍ରଶ୍ନ ହୋଇଛି।

ସେପଟେ ରାଜ୍ୟରେ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ସ୍ଥିତି ମୁକାବିଲା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର, ଭେଣ୍ଟିଲେଟର ଓ ଆଇସିୟୁ ବେଡ଼୍ ପ୍ରସ୍ତୁତ ରଖାଯାଉଛି। ରାଜ୍ୟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ମହଜୁଦ ରଖାଯାଇଥିବା ବେଳେ ପ୍ରସ୍ତୁତ ରହିବା ଲାଗି ହସ୍ପିଟାଲଗୁଡିକୁ କୁହାଯାଇଛି। ଏପଟେ ପୁରୀ ଶ୍ରୀମନ୍ଦିରରେ କଡ଼କଣାକୁ ବଢାଇ ଦିଆଯାଇଛି। ଏଣିକି ଶନିବାର ଓ ରବିବାର ଦୁଇ ଦିନ ଦିଅଁ ଦର୍ଶନ ବନ୍ଦ ରହିବ। ସ୍ଥିତି ଦେଖି ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ନେବେ।

You might also like