- ହୋସ୍ ଉଡ଼ାଉଛି କରୋନା ଦ୍ୱିତୀୟ ଲହରର ସଂକ୍ରମଣ ଧାରା
- ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ପାର୍
- ଦେଶରେ ୨ ଲକ୍ଷ ମୁହାଁ ଦୈନିକ ପଜିଟିଭ୍ ଟ୍ରେଣ୍ଡ
- ବେଡ୍ ବଢ଼ାଇବା ଓ ନୂଆ କୋଭିଡ୍ ହସ୍ପିଟାଲ ଖୋଲିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଧାଇଁ ଧାଇଁ ବଢ଼ୁଛି କରୋନା ମିଟର। ହୋସ୍ ଉଡ଼ାଉଛି ଦ୍ୱିତୀୟ ଲହରୀର ଦୈନିକ ସଂକ୍ରମଣ ଟ୍ରେଣ୍ଡ୍, ଯାହାକି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ପାର୍ ଓ ଦେଶରେ ୨ ଲକ୍ଷ ମୁହାଁ ରହିଛି। ଏଣେ ରାଜ୍ୟରେ ଆକ୍ଟିଭ୍ କେଶ୍ ବଢ଼ି ବଢ଼ି ଚାଲିଥିବାରୁ ଗତ ବର୍ଷ ଭଳି ପୁଣି କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢ଼ାଇବା ଓ ନୂଆ କୋଭିଡ୍ ହସ୍ପିଟାଲ ଖୋଲିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସେପଟେ ମହାରାଷ୍ଟ୍ରରେ ଆରମ୍ଭ ହେଉଛି ୧୫ ଦିନିଆ କୋଭିଡ୍ କଟକଣା। ଅପରପଟେ ହରିଦ୍ୱାର କୁମ୍ଭରେ ହଜାରେରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ ବି, ମେଳା ଅଧାରୁ ବନ୍ଦ ହେବା ଆଶଙ୍କାକୁ ଖଣ୍ଡନ କରିଛନ୍ତି ଆୟୋଜକ।
ଏପ୍ରିଲ ୯ରେ ୧୨ଶହ ପାର୍, ଏପ୍ରିଲ୍ ୧୪ରେ ସିଧା ୨୨ଶହ ପାର୍। ମାତ୍ର ୫ ଦିନରେ ଦୈନିକ ସଂକ୍ରମଣ ଧାରାରେ ୧ ହଜାର ବୃଦ୍ଧି ହୋଇଛି। ୨ ଦିନ ଧରି ସଂଖ୍ୟା ୧୭ଶହ ଉପରେ ଥିବା ବେଳେ, ଆଜି ଗୋଟିଏ ଡିଆଁରେ ୨୨ଶହ ଟପିଯାଇଛି। ସେପଟେ ଆଜିର ଆଉ ୩ଜଣଙ୍କୁ ମିଶାଇ ଏପ୍ରିଲରେ ୧୨ ଜଣଙ୍କ କରୋନା ଜନିତ ମୃତ୍ୟୁ ହେଲାଣି। ଚିନ୍ତାଜନକ ସ୍ଥିତି ହେଉଛି, ୭ଟି ଜିଲ୍ଲାରୁ ୩ ଅଙ୍କ ବିଶିଷ୍ଟ ନୂଆ ପଜିଟିଭ୍ ସଂଖ୍ୟା ଆସିଛି ଏବଂ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ତାଲିକାର ଶୀର୍ଷରେ ରହିଛି। ସେପଟେ ପଶ୍ଚିମ ଓଡ଼ିଶାରେ ଆକ୍ଟିଭ୍ କେଶ୍ ବଢ଼ିବା ପରେ, ବୁର୍ଲା ଓ ରାଉରକେଲା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।
୧୦ ଦିନ ଭିତରେ ବୁର୍ଲା ଭିମ୍ସାରର ନବନିର୍ମିତ ମେଡିସିନ୍ ଓ୍ୱାର୍ଡକୁ ୩୦୦ ବେଡର ଦ୍ୱିତୀୟ କୋଭିଡ୍ ହସ୍ପିଟାଲରେ ପରିଣତ କରାଯିବ ବୋଲି ସେ କହିଛନ୍ତି। ଏପଟେ ଭୁବନେଶ୍ୱରରେ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଓ ସମ୍ କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୨୫୦ରୁ ୫ ଶହକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ବିଏମସି।
ଦେଶର ସ୍ଥିତିକୁ ବି ଅତି ସଂଗୀନ କରୁଛି କରୋନାର ଦ୍ୱିତୀୟ ଲହର। ୨ଲକ୍ଷ ମୁହାଁ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୮୪ ହଜାର ୩୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୧୦୨୭ ଜଣଙ୍କ ଜୀବନ ଯାଇଛି। ପ୍ରାୟ ୬ ମାସ ପରେ ପୁଣି ହଜାରେ ଟପିଛି ମୃତ୍ୟୁସଂଖ୍ୟା। ସେପଟେ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୪୪ ଧାରା ଜାରି ହେଉଛି। ସେପଟେ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୪୪ ଧାରା ଜାରି ହୋଇଛି। ଆଗାମୀ ୧୫ ଦିନ ଯାଏଁ ରାଜ୍ୟରେ କେବଳ ସକାଳ ୭ ରୁ ରାତି ୮ ଯାଏଁ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ବୋଲି ଜଣାଯାଇଛି।
ସେପଟେ ଉତ୍ତରାଖଣ୍ଡ ହରିଦ୍ୱାର କୁମ୍ଭ ମେଳାରେ ସଂକ୍ରମଣକୁ ବେଖାତିର କରି ଆଜି ପୁଣି ଆସ୍ଥାର ବୁଡ଼ ପକାଇଛନ୍ତି ପ୍ରାୟ ୬ ଲକ୍ଷ ଶ୍ରଦ୍ଧାଳୁ। ଗତ ୩ ଦିନରେ ସେଠାରେ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି, ଆଜି ତୃତୀୟ ସାହି ସ୍ନାନ ବା ବୈଶାଖି ସ୍ନାନ ବେଳେ ଅଧିକାଂଶ ଲୋକଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥିଲା। ତେବେ କୁମ୍ଭମେଳା ଆଇଜି କହିଛନ୍ତି, ଗତବର୍ଷ ତୁଳନାରେ ଏବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଖୁବ୍ କମ୍ ରହିଛି ଏବଂ ଲୋକେ ଯଥାସମ୍ଭବ କୋଭିଡ୍ କଟକଣା ପାଳନ କରିଛନ୍ତି। ଏ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ବି ସଂକ୍ରମିତ କରିଛି କରୋନା ଭୂତାଣୁ।
ରାଉରକେଲାରୁ ପଓ୍ୱନ ତିଓ୍ୱାରୀ ଓ ସମ୍ବଲପୁରରୁ ସଞ୍ଜୟ ଜେନାଙ୍କ ରିପୋର୍ଟ