କରୋନା ଯୋଦ୍ଧାଙ୍କ ଶେଷକୃତ୍ୟ ପାଇଁ ଗାଁରେ ମିଳିଲାନି ଜାଗା

ବାଲିଗୁଡ଼ା: ଯେଉଁ କରୋନା ଯୋଦ୍ଧା ଦିନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ, ମୃତ୍ୟୁ ପରେ ତାଙ୍କୁ ମିଳିଲାନି ସମ୍ମାନ। ଏପରିକି କରୋନା ଯୋଦ୍ଧାଙ୍କ ଶବ ସତ୍କାର ପାଇଁ ନିଜ ଗାଁରେ ଜାଗା ଖଣ୍ଡିଏ ବି ମିଳିଲା ନାହିଁ। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମାଳିକାପଡି ଅଞ୍ଚଳର ଡାକ୍ତର ସପନ କୁମାର ପ୍ରଧାନ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜି ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲ୍‌କୁ ନିଆଯାଉଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶବକୁ ନେଇ ପରିବାର ଲୋକ ଗାଁକୁ ଫେରିବା ପରେ କରୋନା ଭୟରେ ଗାଁ ଲୋକେ ଗାଁରେ ଶବ ସତ୍କାରକୁ  ବିରୋଧ କରିଥିଲେ। ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ଅନୁମତି ଦେଇ ନ ଥିଲେ। ଏହାପରେ ଆଉ ଏକ ଗାଁରେ ଶବ ସତ୍କାର କରିବାକୁ ନିଆଯାଇଥିଲା। ସେଠାରେ ମଧ୍ୟ ଡାକ୍ତରଙ୍କ ଶବ ସତ୍କାରକୁ ବିରୋଧ କରାଯାଇଥିଲା।ଶେଷରେ ୧୨ ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ଅନ୍ୟ ଏକ ସ୍ଥାନରେ ସମାଧି ଦିଆଯାଇଥିଲା।

ଏଥିରୁ ଅନୁମେୟ ଯେ, କରୋନା ପାଇଁ ଦିନକୁ ଦିନ ଆମ ସଭ୍ୟତା କେଉଁ ଆଡ଼କୁ ଗତି କରୁଛି।

You might also like