ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲା କରୋନା ଟିକାର ୨ୟ ଡୋଜ୍
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱିତୀୟ ଡୋଜ୍ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି ୪ ଲକ୍ଷରୁ ଅଧିକ ଲୋକ । ଏହା ସ୍ୱାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ଧାର୍ଯ୍ୟଲକ୍ଷ୍ୟର ପାଖାପାଖି ୯୦ ପ୍ରତିଶତ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲଷ୍ମୀଧର ସାହୁ ଆଜି ଦ୍ୱିତିୟ ଡୋଜ୍ କୋଭିଡ ଟିକା ନେଇଥିଲେ ।
ଅନ୍ୟପକ୍ଷେ ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଥମ ଡୋଜ ନେଇ ନାହାଁନ୍ତି, ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯାଉଛି । ଫେବ୍ରୁଆରୀ ୨୫ ତାରିଖ ସୁଦ୍ଧା ପ୍ରଥମ ଡୋଜ ଟିକା ନେବାକୁ ସେମାନଙ୍କୁ ଅନୁରୋଧ କରାଯାଉଛି । ସେପଟେ ମାର୍ଚ୍ଚ ୧୩ ଯାଏଁ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱିିତୀୟ ଡୋଜ୍ ଟୀକାକରଣ ଚାଲିବ।
ରାଜ୍ୟର ସିଆରପିଏଫ୍ ଯବାନଙ୍କୁ ମଧ୍ୟ କରୋନା ଭ୍ୟାକସିନ୍ ଦିଆଯାଇଛି। ସିଆରପିଏଫ୍ କ୍ୟାମ୍ପସରେ ୮ ଶହ କର୍ମଚାରୀଙ୍କୁ କରୋନା ଟିକା ଦିଆଯାଉଛି। ଆଜି ପ୍ରଥମ ପର୍ଯ୍ୟାୟରେ ୨ ଶହ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏନେଇ ସିଆରପିଏଫ୍ କ୍ୟାମ୍ପସ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୪ ଦିନ ଧରି ଏହି କ୍ୟାମ୍ପସ୍ରେ ଟିକାକରଣ କାର୍ଯକ୍ରମ ହେବ। ସେହିଭଳି ଆଜି ସିଆଇଏସ୍ଏଫ୍ ଯବାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଟିକା ଦିଆଯାଇଛି।
ଅନ୍ୟପକ୍ଷେ ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯିବ । ମାର୍ଚ୍ଚ ପହିଲାରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ୧ରୁ ଟିକାକରଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଅନୁସାରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ବରିଷ୍ଠ ନାଗରିକଙ୍କ ନାମ ରେଜିଷ୍ଟ୍ରେସନ କରାଯାଇ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେବାର ୨୮ ଦିନ ପରେ ୨ୟ ଡୋଜ ଦିଆଯିବା କଥା। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର କହିବା ଅନୁଯାୟୀ ପ୍ରଥମ ଡୋଜର ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ ନେବା କଥା।
ସୂଚନାଥାଉ କି, ରାଜ୍ୟରେ ଆଜି ୧୮ଟି ଜିଲ୍ଲା ଓ ଷ୍ଟେଟ ପୁଲ୍ରୁ ମୋଟ ୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଦୀର୍ଘ ଦିନ ପରେ ଆଜି ପୁଣି ଜଣେ କରୋନା ରୋଗୀ ଆଖି ବୁଜିଥିବା ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ କହିଛି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୨୬୨ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୩,୫୫୪ ଜଣ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ଅଛି ୭୪୪। ସେହିପରି ଜଣେ ଆଖି ବୁଜିବା ପରେ ରାଜ୍ୟରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା୧, ୯୧୧କୁ ବୃଦ୍ଧି ପାଇଛି। ମୃତ ବ୍ୟକ୍ତି ଜଣଙ୍କ ସମ୍ବଲପୁର ଜିଲ୍ଲାର ବାସିନ୍ଦା ଥିଲେ।