ଓଡ଼ିଶାରେ ଆରମ୍ଭ ହେଲା କରୋନା ଭ୍ୟାକ୍ସିନ୍ ଡ୍ରାଏ ରନ୍
ଭୁବନେଶ୍ୱର: କୋଭିଡ୍ ଟିକାକରଣ ପାଇଁ ସାରା ଦେଶରେ ଚାଲିଛି ଡ୍ରାଏ ରନ୍। ଟିକା ଆସିବା ପରେ କେମିତି ସୁରୁଖୁରୁରେ ଦେଶର କୋଟି କୋଟି ଲୋକଙ୍କୁ ଟିକା ଦିଆଯିବ, ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ୩୧ଟି ସ୍ଥାନରେ ଏହାର ବ୍ୟବସ୍ଥା ହୋଇଛି। ଏଥିରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟକର୍ମୀ।
୩୦ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ବି ଟିକାକରଣର ଡ୍ରାଏ ରନ୍ ଚାଲିଛି। ଯେଉଁମାନେ ଟିକା ନେବେ ସେମାନଙ୍କର ନାଁ ପଞ୍ଜୀକରଣଠୁ ଆରମ୍ଭ କରି ଟିକା ପ୍ରଦାନ, ଏହାର ପରବର୍ତ୍ତୀ ଯତ୍ନ ନେଇ କ’ଣ କ’ଣ କରାଯିବ, ତାର ରିହର୍ସଲ କରାଯାଉଛି। ପ୍ରତି ପଏଣ୍ଟରେ ୫ ଜଣ ଲେଖାଏଁ କର୍ମଚାରୀ ଅଛନ୍ତି। ସେଠାରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଡେମୋ ଟିକା ଦିଆଯାଉଛି। ସେପଟେ କ୍ୟାପିଟାଲ ହସ୍ପିଟାଲରେ ଟିକା ଡ୍ରାଏ ରନ୍ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଅବସରରେ ସେ କହିଛନ୍ତି, ବ୍ରିଟେନରୁ ୧୮୪ଜଣ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ସେମାନଙ୍କ ମଧ୍ୟରେ ଭାଇରସ୍ର ନୂଆ ଷ୍ଟ୍ରେନ୍ ଲକ୍ଷଣ ଜଣାପଡ଼ିନାହିଁ।
ଭ୍ୟାକ୍ସିନ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କିଏ ପାଇବେ ଟିକା ଓ କେମିତି ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ ଭ୍ୟାକ୍ସିନ ? ଏଥିପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ଭ୍ୟାକ୍ସିନ ଆସିବା ପରେ ପ୍ରଥମେ ଏହାକୁ ଷ୍ଟେଟ୍ ଭେକ୍ସିନେସନ୍ ଷ୍ଟୋରରେ ରଖାଯିବ। ଏହାପରେ ଟିକାକୁ ୯ଟି ଆଞ୍ଚଳିକ ଷ୍ଟୋରକୁ ପଠାଯିବ। ଏଠାରୁ ୩୨ଟି ଜିଲ୍ଲା ସ୍ତରୀୟ ଭ୍ୟାକ୍ସିନ ଷ୍ଟୋରକୁ ଟିକା ଯିବ। ଏହାପରେ ୧ ହଜାର ୨ ଶହ ୨୨ କୋଲ୍ଡ ଚେନ୍ ପଏଣ୍ଟକୁ ଭ୍ୟାକ୍ସିନକୁ ନିଆଯିବ। ଏଠାରୁ ୨୯ ହଜାର ୨୭୬ ଟିକାକରଣ କେନ୍ଦ୍ରକୁ ଭ୍ୟାକ୍ସିନ ନିଆଯାଇ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଆଜି ସାରା ଦେଶରେ ୧୧୬ ଜିଲ୍ଲାରେ ୨୫୯ଟି ସେଣ୍ଟରରେ ଟିକାର ଡ୍ରାଏ ରନ୍ କରାଯାଉଛି। ଦିଲ୍ଲୀରେ ୩ଟି ସେଣ୍ଟରରେ ଡ୍ରାଏ ରନ୍ ଚାଲିଛି।
ଅନ୍ୟପକ୍ଷରେ, ଦେଶର ୩ କୋଟି କୋଭିଡ ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ମାଗଣାରେ ଟିକା ଦିଆଯିବ। ଏଥିରେ ରହିଛନ୍ତି ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଫ୍ରଣ୍ଟ ଲାଇନ୍ କରୋନା ଯୋଦ୍ଧା। ସାରା ଦେଶରେ ହେଉଥିବା କୋଭିଡ୍ ଟିକାକରଣର ଡ୍ରାଏ ରନ୍ର ସମୀକ୍ଷା କରିବାକୁ ଆସିଥିବା ବେଳେ ଦିଲ୍ଲୀର GTB ହସ୍ପିଟାଲରେ ହର୍ଷବର୍ଦ୍ଧନ ଏହା କହିଛନ୍ତି। ପ୍ରାଥମିକ ତାଲିକାରେ ଥିବା ବାକି ୨୭ କୋଟି ଲୋକଙ୍କ ସଂପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।