ଟିକାକରଣ ପାଇଁ କାଉଣ୍ଟ୍‌ଡାଉନ୍ ଆରମ୍ଭ, ଆଜି ଯିବ SMS

ଭୁବନେଶ୍ୱର: କରୋନା ଟିକାକରଣ ନେଇ କାଉଣ୍ଟ୍‌ଡାଉନ୍ ଆରମ୍ଭ ହୋଇଛି। ଜାନୁଆରୀ ୧୬ ତାରିଖରେ କୋଭିଡ୍ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକୃତ ସ୍ୱାସ୍ଥ୍ୟ଼କର୍ମୀଙ୍କୁ ଟିକା ଦିଆଯିବ। ଏନେଇ ଆଜିଠୁ ସ୍ୱାସ୍ଥ୍ୟ଼କର୍ମୀଙ୍କୁ ଏସ୍ଏମ୍ଏସ୍ ଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କେଉଁଠି ଓ କେତେବେଳେ ଟିକା ଦିଆଯିବ ତାହାର ସବିଶେଷ ତଥ୍ୟ SMS ମାଧ୍ୟମରେ ସୂଚନା ଦିଆଯିବ। କରୋନା ଟିକା ରଖିବା ପାଇଁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି। ଯାହା ଏବେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ଯାଇଛି। ପ୍ରଥମ ଡୋଜ୍‌ରେ ୪୨ ଓ ଦ୍ୱିତୀୟ ଡୋଜ୍‌ରେ ୧୪ ଦିନ ପରେ ଶରୀରରେ ଆଣ୍ଟିବଡ଼ି ତିଆରି ହେବ। ପ୍ରଥମ ଡୋଜ୍ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବନି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ଭ୍ୟାକ୍‌ସିନ୍‌ କୋଭିସିଲ୍ଡ ଓ କୋଭାକ୍ସିନ୍ ପହଞ୍ଚିଛି। ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଦିଆଯିବାକୁ ଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଦିଆଯିବ।

ଅନ୍ୟପକ୍ଷରେ, କରୋନା ଟିକା ନେବେନି ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟକର୍ମୀ। କ୍ୟାଡର‌ ରୁଲ୍‌ର ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ବାରମ୍ବାର ସରକାରଙ୍କ ପାଖରେ ଏହି ଦୁଇଟି ଦାବି ଜଣାଯାଇଛି, ଏହା ସତ୍ତ୍ୱେ ଏହାର କୌଣସି ସମାଧାନ ହୋଇନି। ତେଣୁ ଆସନ୍ତା ୧୬ରୁ କରୋନା ଟିକାକରଣ ପ୍ରକ୍ରିୟା ବେଳେ କଳାବ୍ୟାଜ୍‌ ପରିଧାନ କରି ପ୍ରତିକାତ୍ମକ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋଭିଡ୍ ଟିକାକରଣ ପାଇଁ ଗାଇଡ୍‌ଲାଇନ୍ସ ଜାରି କଲେ ରାଜ୍ୟ ସରକାର

ଯଦି ଦାବି ପୂରଣ ନହୁଏ ତେବେ ଫେବ୍ରୁଆରୀ ପହିଲାରୁ କାର୍ଯ୍ୟ ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ଏନେଇ ବଲାଙ୍ଗିର ସିଡିଏମ୍ଓକୁ ଭେଟି ଦାବିପତ୍ର ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ।

You might also like