ଗହଳିଚହଳିରେ ଫାଟି ପଡ଼ୁଥିବା ଜଗାର ବଡ଼ଦାଣ୍ଡ ଆଜି ଶୂନ୍‌ଶାନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍, ଗୀର୍ଜାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି। ବଡ଼ଦାଣ୍ଡଠୁ ଶ୍ରୀମନ୍ଦିର ବେଢ଼ା ଯାଏଁ ଶୂନଶାନ ହୋଇପଡ଼ିଛି।

ଗବେଷକଙ୍କ ମତ ଅନୁସାରେ, ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଏଭଳି ଦୂରତା ଦେଖାଯାଇଛି ୩୨୮ ବର୍ଷର ବ୍ୟବଧାନ ପରେ। ମାଦଳା ପାଞ୍ଜି କହୁଛି, ୧୬୯୨ ଖ୍ରୀଷ୍ଟାଦ୍ଦରେ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଏକ୍‌ରାମ୍ ଖାଁ ଆକ୍ରମଣ ସମୟରେ ଠାକୁରଙ୍କୁ ଦେଖିପାରିନଥିଲେ ଶ୍ରଦ୍ଧାଳୁ।

ତେବେ କରୋନା ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଲାଗି କେବଳ ସେବାୟତଙ୍କୁ ଦେଖିବାକୁ ମିଳିଛି। ସେହିପରି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ନାହିଁ।

କେବଳ ଯାହା ସେବାୟତ ମାନେ ମାସ୍କ ପିନ୍ଧି ମନ୍ଦିରରେ ନୀତିକାନ୍ତି କରୁଥିବାବେଳେ କାଁ ଭାଁ ଦର୍ଶନାର୍ଥୀ ଆସି ମନ୍ଦିର ବାହାରୁ ଦର୍ଶନ କରୁଛନ୍ତି।

କେବଳ ଶ୍ରୀମନ୍ଦିର କି ଲିଙ୍ଗରାଜ ମନ୍ଦିର ନୁହେଁ, ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମେତ ମସ୍‌ଜିଦ୍, ଗୀର୍ଜାକୁ ବନ୍ଦ ରଖାଯାଇଛି।

ଭୁବନେଶ୍ୱର, କଟକ, ଭଦ୍ରକରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ଆଜି ଶୁକ୍ରବାର ସତ୍ତ୍ୱେ ସମୂହ ନମାଜ ପାଠକୁ ବନ୍ଦ କରାଯାଇଛିା  ସେହିପରି ଟୁଇନ୍‌ସିଟି ସମେତ ଫୁଲବାଣୀ ଓ ଅନ୍ୟ ଚର୍ଚ୍ଚ ଗୁଡ଼ିକରେ ମଧ୍ୟ କୌଣସି ଚଳଚଞ୍ଚଳ ଦେଖିବାକୁ ମିଳୁନି। ଏହି କଟକଣା ଆସନ୍ତା ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ଜାରି ରହିବ।

କିନ୍ତୁ ଧର୍ମୀୟ ଅନୁଷ୍ଠାନ ଗୁଡ଼ିକର ନୀତିକାନ୍ତି ପୂର୍ବବତ୍ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

You might also like