ବଢୁଛି ସଂକ୍ରମଣ: ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନସଚିବ

ଟେନସନ ଦେଉଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ଭୟ ବଢ଼ିଲା। ସଂକ୍ରମଣ ବୃଦ୍ଧି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିବା ନେଇ ସୂଚନା ମିଳିଛି। ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ବେଳେ SRC ମଧ୍ୟ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି। ଏପଟେ ଦିନକରେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୧୪୬ ପଜିଟିଭ। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୫, କଟକରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୂରଭଂଜରୁ ୧୩, ନୂଆପଡ଼ାରୁ ୧୨, ସୁନ୍ଦରଗଡ଼ରୁ ୧୨ ପଜିଟିଭ ବାହାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୭, ଲୋକାଲ୍ କେସ୍- ୫୯ ବୋଲି ଜଣାପଡ଼ିଛି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩କୁ ବୃଦ୍ଧି ପାଇଥିବା ବେଳେ ଆକ୍ଚିଭ୍‌ କେସ ରହିଛି ୮୬୭। ଏବଂ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୧୨।

ତେବେ ଆଲୋଚନାରେ କରୋନା କେମିତି ପୁଣି ଥରେ ବଢିବଢି ଚାଲିଛି ସେନଇ ଆଲୋଚନା ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି।

ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି। କେବଳ ବିଏମ୍‌ସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି। XIMBର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନ୍‌ରେ ରହିବା ଲାଗି କୁହାଯାଇଛି। BMC ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

ଏହାସହ ଅନେକ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଓଡ଼ିଶାକୁ ମଧ୍ୟ ଏହା ଆସିପାରେ ବୋଲି ଅନୁମାନ କରାଯାଉଛି। କରୋନା କେମିତି ନବ୍ୟାପିବ ସେନେଇ ପ୍ରତ୍ୟେକ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ଆଲୋଚନା କରିଛନ୍ତି।

ସେପଟେ ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି। ଦାୟିତ୍ୱରେ ରହିବାକୁ ଥିବା କର୍ମଚାରୀମାନେ ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ବୋଲି ଜଣାପଡିଛି। ଗାଁରେ କରୋନା ପରିଚାଳନାକୁ ପୁଣି ସକ୍ରିୟ କରାଯିବ ବୋଲି ବି ସୂଚନା ରହିଛି।

You might also like