କରୋନା ପାଇଁ ହୋଲି ଖେଳରେ ଲାଗିଲା କଟକଣା

ହୋଲି ପାଇଁ କଟକଣା

ଭୁବନେଶ୍ୱର: କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି।  ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇ ପାରିବ ନାହିଁ। ଏହାସହ ଦୋଳ ମେଳଣ ଉପରେ କଟକଣା ଲାଗୁ କରାଯିବ। କେବଳ ଏତିକି ନୁହେଁ ବରଂ ପ୍ରତି ଠାକୁରଙ୍କ ପାଇଁ ୪/୫ ଜଣଙ୍କୁ ଅନୁମତି ମିଳିବ। କରୋନା ପୁଣି ଥରେ ବ୍ୟାପୁଥିବାରୁ ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି ବୋଲି କମିଶନର କହିଛନ୍ତି। ଏହାସହ ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। ତେବେ କରୋନା ଗାଇଡଲାଇନ ନମାନିଲେ ସ୍ଥିତି ସଂଗୀନ ହୋଇପାରେ ବୋଲି ନିଜ ପ୍ରତିକ୍ରିୟା କହିଛନ୍ତି କମିଶନର।

ଏଠାରେ ଆମେ କହିରଖୁଛୁ ଯେ, ଦେଶରେ ଓ ରାଜ୍ୟରେ କରୋନା ଧୀରେ ଧୀରେ କାୟାବିସ୍ତାର କରୁଛି। ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା  ପୁଣି ଚିନ୍ତା ବଢାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ରୋଗୀ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୨୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ ଅଛି ସୁନ୍ଦରଗଡ଼। ଏଠାରୁ ୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଦେଶରେ ୪୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା। ତେବେ ଆଜି ତାହା ୪୦ ହଜାର ଅତିକ୍ରମ କରିଛି। ଆଜିର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ ରହିଛି ବୋଲି ଜଣାପଡିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୫୫ ହଜାର ୨୮୪କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮କୁ ବୃଦ୍ଧି ପାଇଛି।

You might also like