ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଓ ଶିଶୁକନ୍ୟା ଗୁରୁତର। ଆଜି ନିଆଁରେ ପୋଡ଼ି ହୋଇ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ୍ ବନ୍ଧ ନିକଟରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।
ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨) ଓ ସେମାନଙ୍କର ୪ ବର୍ଷର ଶିଶୁକନ୍ୟା। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।
ଆଜି ଭୋରରେ ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।
ତେବେ କେଉଁଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ଏବଂ ଏମାନେ ପରସ୍ପର ଉପରେ କିରାସିନି ଢାଳି ନିଆଁ ଲଗାଇଥିଲେ ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନାହିଁ।
ପୁଲିସ୍ ଘଟଣାର ତଦନ୍ତ କରୁଛି।