ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫ ଟଙ୍କାରେ ଗୋଟିଏ ଗୋଟିଏ ନକଲି ଫାଭିପିରାଭିର୍ ଷ୍ଟ୍ରିପ୍ କିଣି ତାକୁ ୧୨୯୦ ଟଙ୍କାରେ ବିକିବାକୁ ଯୋଜନା କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଯାଏଁ ଧରାପଡ଼ିନି ପୁରା କାରବାରର ମାଷ୍ଟରମାଇଣ୍ଡ ତଥା କଂପାନୀ ମାଲିକ ଶିବ ପ୍ରସନ୍ନ ଜେନା । ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଥିବା ବେଳେ କାହା ପ୍ରୋତ୍ସାହନରେ ଚାଲିଥିଲା ଏଭଳି ନିଷିଦ୍ଧ କାରବାର, ସେନେଇ ବି ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।

ଔଷଧ ନକଲି, କମ୍ପାନୀ ନକଲି, ଦାମ୍ ବି ନକଲି । ଲାଭଖୋର ମନୋବୃତ୍ତି ପାଇଁ ପ୍ରାଣରକ୍ଷା ନାଁରେ ପ୍ରାଣନାଶୀ ଷଡ଼ଯନ୍ତ୍ରର ସାଂଘାତିକ ସତ । ସେହି ସତମିଛର ଖେଳ ଖେଳୁଥିବା ସେହି ଖେଳାଳିଙ୍କୁ ଗିରଫ କରିଛି ପୋଲିସ । ଯେଉଁମାନେ ଜନତାଙ୍କ ଜୀବନ ସହ ଖେଳୁଥିଲେ ମୃତ୍ୟୁର ଖେଳ । କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ରେ ଚାଲିଥିଲା ଏହି ଭେଜାଲ୍ ଔଷଧ କାରବାର ।

ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା, ଯିଏ ମୁଖ୍ୟ ଅଭିଯୁକ୍ତ ଶିବପ୍ରସନ୍ନ ଜେନାଙ୍କ ପତ୍ନୀ ରହିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ହେଲେ ମ୍ୟାନେଜର ପ୍ରୀତିରଂଜନ ପରିଡ଼ା । ଆଉ ଜଣେ ଗୋଦାମ୍ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତି । ଯାହାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା’ସହ ଭେଜାଲ୍ କାରବାରର ଫିଟାଇଛି ଗୁମରା କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିରର ଫାଭିମ୍ୟାକ୍ସ-200 ଏବଂ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ । ଯେଉଁ ଷ୍ଟ୍ରିପ୍ର ଦାମ୍ ୬୫ ଟଙ୍କା, ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ କରିଥିଲେ ଯୋଜନା । ସେପଟେ ଘଟଣାର ମାଷ୍ଟରମାଇଣ୍ଡ ତଥା ମେଡ଼ିଲଏଡ୍ ମେଡ଼ିକେମେଣ୍ଟର ଏମ୍‌ଡି କୁହାଯାଉଥିବା ଶିବ ପ୍ରସନ୍ନ ଜେନା କିନ୍ତୁ ଏବେ ବି ଫେରାର୍ ।

୧୦ ଜୁନ୍, ୨୦୨୧ରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ସ୍ଥିତ ଏହି କମ୍ପାନୀରେ ପ୍ରଥମେ ଚଢ଼ାଉ କରିଥିଲେ ସ୍ଥାନୀୟ ଡ୍ରଗ୍ସ ଇନିସ୍ପେକ୍ଟର । କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍ ସ୍ଥିତ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-400 ଔଷଧ । କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା ସୋଲାନ୍‌ରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । ଆଉ ଏହି ତଦନ୍ତ ଭିତରେ ଏହି ସନ୍ଦେହଜନକ କମ୍ପାନୀର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଘଟଣାର ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ୩ଟି ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢାଉ ଜାରି ରଖିଥିବା ବେଳେ କୁଆଡ଼େ ଖସିଗଲା ମାଷ୍ଟରମାଇଣ୍ଡ ଶିବ ପ୍ରସନ୍ନ ଜେନା ?

ଚଢ଼ଉ ଦିନ ବାହାସ୍ଫୋଟ୍ ମାରି ବୟାନ ଦେଇଥିବା ବ୍ୟକ୍ତି ଏବେ କାହିଁକି ଫେରାର୍ ? କାହା ଛତ୍ରଛାୟାରେ ସେ ଆତ୍ମଗୋପନ କରିଛନ୍ତି ? ଔଷଧର ଏହି କଳାବଜାରୀ ପଛରେ ଶିବପ୍ରସନ୍ନ ଆଣ୍ଡ କୋ ନା ଆଉ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ରହିଛି ହାତ ? ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଗିରଫ ୩ ଜଣଙ୍କୁ ଜେଲ ପଠାଯିବା ସହ କଂପାନିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କାକୁ ଫ୍ରିଜ୍ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ।

ସେପଟେ ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଏବଂ ତା’ ପଛରେ ଥିବା ଷଡ଼ଯନ୍ତ୍ରକାରୀ ଧରା ପଡ଼ିଲେ ହିଁ ପୂରା ରାକେଟ୍‌ର ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।

Other Stories