ତର୍ଜମାର ଅାଇନାରେ ନବୀନଙ୍କ ବ୍ୟକ୍ତିତ୍ୱ

ଅାତ୍ମ ଜୀବନୀ ଅାଲୋଚନାରେ ବୈଜୟନ୍ତ କହିଲେ ବଦଳି ଗଲେଣି ନବୀନ

ଭୁବନେଶ୍ୱର : ବଦଳି ଗଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟ ଅତୀତରେ ଘଟିଥିବା କିଛି ଘଟଣାର ଉଦାହରଣ ରଖି ଏହା କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜେ ନିଷ୍ପତ୍ତି ନନେଇ ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ଅନ୍ୟ ନେତା ଓ ଅଫିସରଙ୍କ ଉପରେ ଛାଡିବା, ଦୁର୍ନୀତି ଓ ଯୌନ କେଳେଙ୍କାରୀରେ ଫସିଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା, ଦୁର୍ନୀତିଗ୍ରସ୍ତ ଅଫିସରକୁ ଗୁରୁତ୍ୱପୂର୍ଣ ପଦରେ ନିଯୁକ୍ତି ଦେବା ଓ କୋଟେରୀ ପ୍ରଭାବରେ ଅାସି ବିଜୁ ଅନୁଗତ ନେତାଙ୍କୁ ଦଳରୁ ତଡା ଯିବାର ଉଦାହରଣ ରଖି ଏଭଳି ମତ ଦେଇଛନ୍ତି ବୈଜୟନ୍ତ।

ନିଜ ସ୍ୱାର୍ଥରେ ଉଭୟ ଜାତୀୟ ଦଳକୁ ପରାହତ କରି ନବୀନ କିଭଳି ବିଚକ୍ଷଣତାର ସହ ଗୋଟି ଚାଳନା କରୁଛନ୍ତି  ବୈଜୟନ୍ତ ସେ କଥା ବି କହିଛନ୍ତି। ବିଜେଡିକୁ ସୁହାଇଲା ଭଳି ପିସିସିରେ ପରିବର୍ତ୍ତନ, ସମଦୂରତା କଥା କହି ଏନଡିଏ ସରକାରକୁ ବାରମ୍ବାର ନବୀନଙ୍କ ସମର୍ଥନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ ଚାଲିଥିବା ସିବିଅାଇ ଓ ଇଡିର ତଦନ୍ତ ଧିମେଇ ଯିବାକୁ ବୈଜୟନ୍ତ ଉଦାହରଣ ଭାବେ ରଖିଛନ୍ତି।

ସେପଟେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଅାସିଥିଲେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଦଳ ଅଲ୍‌ଅାଉଟ୍ ଉଦ୍ୟମ ନକରିଛି ସେପର୍ଯ୍ୟନ୍ତ ସଫଳ ହେବ ନାହିଁ ବୋଲି ବୈଜୟନ୍ତ କହିଛନ୍ତି। ନିଜ ରାଜନୈତିକ ଭବିଷ୍ୟତ ବିଷୟରେ ବି ବୈଜୟନ୍ତ ମତ ରଖିଛନ୍ତି। ଯେପର୍ଯ୍ୟନ୍ତ ପରିସ୍ଥିତି ବାଧ୍ୟ ନକରିଛି ସେ ଯାଏଁ କୌଣସି ନିଷ୍ପତ୍ତି ନନେବାକୁ ସେ ନବନୀଙ୍କଠାରୁ ଶିଖିଥିବା ପରିହାସ ଛଳରେ କହିଥିଲେ ବୈଜୟନ୍ତ।

ନବୀନଙ୍କ ଜୀବନୀ ଲେଖିଥିବା ଅାଉଟ୍‌ ଲୁକ୍ ମାଗାଜିନ୍‌ର ସଂପାଦକ ରୁବେନ୍ ବାନାର୍ଜୀ ନବୀନଙ୍କୁ ସ୍ୱେଚ୍ଛାଚାରୀ ଓ ସିଧାସାଦା ନୁହେଁ ଜଟିଳ ଚିନ୍ତାଧାରର ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି। ଦଳରୁ ବିଜୟ ମହାପାତ୍ରଙ୍କୁ ବିଦା କରାଯିବା କଥା ଉଲ୍ଲେଖ କରି ନବୀନ ମୂଳରୁ ହିଁ ଅଗଣତାନ୍ତ୍ରିକ ଥିବା ଓ ଏବେ ସମୟକ୍ରମେ ନବୀନଙ୍କର ସ୍ୱେଚ୍ଛାଚାରୀ ମନୋଭାବ ପରିସ୍ଫୁଟ ହୋଇଥିବା ରୁବେନ୍ ମତ ଦେଇଛନ୍ତି।

ନିଜ ସ୍ଥିତି ସୁରକ୍ଷିତ ରଖିବାକୁ ନବୀନ କିଛି ବି କରିପାରନ୍ତି ବୋଲି ରୁବେନ କହିଛନ୍ତି। ତେବେ ନବୀନ ବ୍ୟୁରୋକ୍ରାଟ୍‌ଙ୍କ ଦ୍ୱାରା ପରିଚାଳିତ ଚର୍ଚ୍ଚାକୁ ରୁବେନ ଖଣ୍ଡନ କରିଛନ୍ତି। କାଳେ ଦଳର ଅନ୍ୟ କୌଣସି ନେତାଙ୍କ ଗୁରୁତ୍ୱ ବଢ଼ିଯିବ, ସେଇ ଅାଶଙ୍କାରେ ନବୀନ ହିଁ ନିଜେ ସୁଚିନ୍ତିତ ରଣନୀତି ଅାଧାରରେ ଏଭଳି ଧାରଣା ସୃଷ୍ଟି କରାଇଥିବା କହିଛନ୍ତି ରୁବେନ୍।

ସେପଟେ ବିଜେଡି ସରକାର ବ୍ଲକ୍‌ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ଯେଭଳି ପୃଷ୍ଠପୋଷକତା ଯୋଗାଇ ଦେଉଛନ୍ତି, ତାହା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର। ରାଜ୍ୟର ଦୀର୍ଘ ମିଆଁଦି ଅଭିବୃଦ୍ଧି ଲାଗି ଅର୍ଥ ଖର୍ଚ୍ଚ ନକରି କେବଳ ଲୋକପ୍ରିୟ ଯୋଜନାରେ ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ୨୦୨୦ ସୁଦ୍ଧା ଓଡ଼ିଶା ଅାର୍ଥିକ ସଂକଟରେ ପଡିଯିବ ବୋଲି ସେ ଅାଶଙ୍କା ବ୍ୟକ୍ତ କରିଛନ୍ତି।

ଗତକାଲି ନୂଅାଦିଲ୍ଲୀରେ ରୁବେନ ବାନାର୍ଜୀଙ୍କ ପୁସ୍ତକ ନବୀନ ପଟ୍ଟନାୟକ ଉପରେ ଅାଲୋଚନା ଚକ୍ରର ଅାୟୋଜନ କରାଯାଇଥିଲା। ଏଥିରେ ସାମିଲ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହ ରୁବେନ, ବୈଜୟନ୍ତ ଓ ସାମ୍ବାଦିକ ରାଜେଶ ମହାପାତ୍ରଙ୍କ ମତ ବିନିମୟ ହୋଇଥିଲା।

You might also like
Comments
Loading...