ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଜାଲିଆତି !

କୋରାପୁଟ: ଗ୍ରାମ୍ୟ ଜଳଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଯୋଗାଣ ନାଁରେ ଜାଲିଆତି ହେଉଥିବା ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ମାଳିପୁଟ ଗ୍ରାମପଞ୍ଚାୟତ ସିପାହୀପୁଟ ଗାଁରୁ।

ପାନୀୟ ଜଳର ସୁବିଧା ପଇଁ ଏଠାରେ ପ୍ରକଳ୍ପ ନିର୍ମାଣ ଲାଗି ୨୦୦୮ରେ ୧ କୋଟି ୩୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ତେବେ ପ୍ରକଳ୍ପ ଅଧପନ୍ତରିଆ ଭାବେ ନିର୍ମାଣ କରି କାମଚଳା ଭାବେ ଗାଁକୁ ପାଣି ଯୋଗାଣ ଆରମ୍ଭ ହୋଇଛି। ସଂପୂର୍ଣ୍ଣ କାମ ସରିନଥିବାରୁ କିଭଳି ୮୦ ପ୍ରତିଶତ ଟଙ୍କା ପ୍ରଦାନ କରାଯାଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅକ୍ଟୋବର୍‌ ଶେଷ ସୁଧା ପ୍ରକଳ୍ପ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ କାମ ସରିଛି। ପ୍ରକଳ୍ପ ଚାରିପଟେ ପାଚେରୀ, ଏହାକୁ ସଂଯୋଗ କରୁଥିବା ରାସ୍ତା ଓ ଫିଲ୍‌ଟର୍‌ ବସାଯିବା କାମ ଶେଷ ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ଏହାର କାମ ସରିବ ବୋଲି ପ୍ରକଳ୍ପ ସୁପରଭାଇଜର ବିଶ୍ୱଜିତ ପ୍ରଧାନ କହିଛନ୍ତି।

ଅନ୍ୟପଟେ କାର୍ଯ୍ୟକୁ ନେଇ ନିର୍ବାହୀ ଯନ୍ତ୍ରୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। କାମ ସରି ନଥିବା ବେଳେ କିପରି ୮୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି ବୋଲି ଚିଠି ଲେଖିଛନ୍ତି ବିଭାଗୀୟ ଯନ୍ତ୍ରୀ। ତେବେ ଏହି ଚିଠି ନେଇ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ସେ ଏହି ଚିଠି ଲେଖିଛନ୍ତି ନା ଆଉ କିଏ ଲେଖିଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ପ୍ରକଳ୍ପଗୁଡ଼ିକ ତରବରିଆ ଭାବେ ଶେଷ କରିବା ସହ ଅର୍ଥ ହଡପ୍‌ କରାଯାଉଛି। ଏପରି ସ୍ଥିତିରେ ସିପାହୀପୁଟ ଗାଁରେ ହୋଇଥିବା ପ୍ରକଳ୍ପ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

You might also like