ସ୍ୱଚ୍ଛ ଭାରତ ମିଶନ୍‌ ନା ଲୁଟ୍ ମିଶନ୍‌ !

ବାଲେଶ୍ୱର: ଝିଅ ବୋହୂଙ୍କ ଲଜ୍ଜା ନିବାରଣ ହେବ, ପରିଚ୍ଛନ୍ନତା ବଢ଼ିବ ଏଭଳି ମହତ ଯୋଜନା ରଖି ସ୍ୱଚ୍ଛ ଭାରତ ଯୋଜନା ଅନ୍ତର୍ଗତ ପ୍ରତି ଘରେ ପାଇଖାନା ନିର୍ମାଣ ଲାଗି କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ କେଉଁଠି ଯୋଗ୍ୟ ହିତାଧିକାରୀ ଟଏଲେଟ୍ ପାଇନାହାଁନ୍ତି ତ ଆଉ କେଉଁଠି ଚଞ୍ଚକତା କରି ଜାଲ୍ ନାଁରେ ଟଙ୍କା ଉଠାଇ ନିଆଯାଇଛି। କିଛି ସ୍ଥାନରେ ତ ମୃତ ଲୋକଙ୍କ ନାଁରେ ଟଙ୍କା ଲୁଟ୍ ହୋଇଛି। ଆଉ କେଉଁଠି କାମ ଏତେ ନିମ୍ନମାନର ଯେ ଟଏଲେଟ୍ ବ୍ୟବହାର ଉପଯୋଗୀ ନୁହେଁ। ବାଲେଶ୍ୱର ଜିଲ୍ଲାରେ ଟଏଲେଟ୍ ମହାଘୋଟାଲକୁ ନେଇ ଫଢ଼ନ୍ତୁ ଓଟଭିର ଅନୁସନ୍ଧାନମୂଳକ ରିପୋର୍ଟ।

ବାଲେଶ୍ୱର ପୌର ପରିଷଦ ୧୬ ନମ୍ବର ଓ୍ୱାର୍ଡର ଦିବ୍ୟାଙ୍ଗ ହିତାଧିକାରୀ ସରୋଜ କୁମାର ମହାନ୍ତି ଦୃଷ୍ଟିହୀନ ହୋଇଥିବାରୁ ଶୌଚ ପାଇଁ ବାହାରକୁ ଯିବାରେ ତାଙ୍କୁ ଭାରି ଅସୁବିଧା ହେଉଥିଲା। ସ୍ୱଚ୍ଛ ଭାରତ ମିଶନ୍‌ରେ ଯୋଜନାରେ ତାଙ୍କୁ ପାଇଖାନା ଖଣ୍ଡେ ମଞ୍ଜୁର ହେବା ପରେ ସେ ବେଶ୍‌ ଖୁସି ହୋଇଥିଲେ।

କିନ୍ତୁ ସରୋଜଙ୍କ ଶୌଚାଳୟ ସ୍ୱପ୍ନ, ଏଯାଏଁ ,ସ୍ୱପ୍ନରେ ରହିଛି। କାରଣ ତାଙ୍କୁ ମଞ୍ଜୁର ହୋଇଥିବା ୮ ହଜାର ଟଙ୍କାରେ ପାଇଖାନା ଆଧା ନିର୍ମାଣ କରି ଠିକାଦାର ବନ୍ଦ କରିଦେଇଛନ୍ତି। କିନ୍ତୁ ଏ ବିଷୟରେ ଠିକାଦାରଙ୍କୁ ପଚାରିବାରୁ ସେ କହୁଛନ୍ତି, ପଚାରିଲେ ଉତ୍ତର ୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲାଣି, ଆଉ ଟଙ୍କା ନମିଳିଲେ କାମ ସାରିବା ସମ୍ଭବ ନୁହେଁ।  ଏ ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ଅଜବ ଉତ୍ତର ଦେଇଛନ୍ତି।

ଅନ୍ୟ ଜଣେ ହିତାଧିକାରୀ ହେଲେ ରେମୁଣା ଅଞ୍ଚଳର ଶ୍ୟାମା ମହାଳିକ। ଶ୍ୟାମାଙ୍କ ପାଇଖାନା ତିଆରି କାମ ସରିଯାଇଛି ,ହେଲେ ଏତେ ନିମ୍ନମାନର କାମ ହୋଇଛି ଯେ ଭୁଶୁଡ଼ି ପଡ଼ିବା ଭୟରେ ପରିବାର ଲୋକେ ଏହାକୁ ବ୍ୟବହାର କରୁନାହାନ୍ତି।

କେବଳ ଶ୍ୟାମା ନୁହଁନ୍ତି, ଗାଁର ଅନେକ ହିତାଧିକାରୀଙ୍କର ସମାନ ଦଶା। ଅନ୍ୟପଟେ ବସ୍ତା, ଜଳେଶ୍ୱର ଓ ଭୋଗରାଇ ବ୍ଲକରୁ ଆହୁରି ଗୁରୁତର ଅଭିଯୋଗ ଆସିଛି। କିଛି ସ୍ଥାନରରେ ଆଦୌ କାମ ନକରି ଠିକା ସଂସ୍ଥା ଟଙ୍କା ଉଠାଇ ନେଇଛି। ସେହିଭଳି ଆଉ କିଛି ସ୍ଥାନରେ ମଲା ଲୋକଙ୍କ ନାଁରେ ବିଲ୍ କରି ଟଙ୍କା ଉଠାଯାଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଭିଜିଲାନ୍‌ସ ଖୋଳତାଡ଼ ଆରମ୍ଭ କରିଛି। ତେବେ ବିଡ଼ମ୍ବନା ହେଉଛି ଯେ ଖୋଦ୍ ଜିଲ୍ଲାପାଳ ଏ ବିଷୟରେ ଜାଣିପାରି ନାହାନ୍ତି।

ବାଲେଶ୍ୱରର ୧୨ଟି ବ୍ଳକ୍‌ରେ ୨୦୧୮ ଆର୍ଥିକ ବର୍ଷ ସୁଦ୍ଧା ୩ ଲକ୍ଷ ୬୧ହଜାର ୭୭୬ ଟଏଲେଟ୍ ନିର୍ମାଣ ପାଇଁ ଲକ୍ଷ୍ୟ  ଧାର୍ଯ୍ୟ କରାଯାଇଥିଲା।

ସରକାରୀ ହିସାବ ଅନୁସାରେ ଜୁଲାଇ ମାସ ସୁଦ୍ଧା ୩ ଲକ୍ଷ ୪୮ ହଜାର ୯୨୭ଟି ପାଇଖାନାର ନିର୍ମାଣ ସରିଯାଇଛି। ତେବେ ସରଜମିନ ଯାଞ୍ଚ କରି ଆମେ ଜାଣିବାକୁ ପାଇଲୁ ଯେ ଏହା କେବଳ କାଗଜ କଲମରେ ରହିଛି। କିନ୍ତୁ ବାସ୍ତବତା ସହିତ ଏହାର କୌଣସି ସଂପର୍କ ନାହିଁ।

 

You might also like