ଭୂମିହୀନ ପରିବାରଙ୍କୁ ସରକାରୀ ଯୋଜନାରେ ମିଳୁନି ସୁଫଳ

ରାୟଗଡ଼ା: ଘରକୁ ବିଜୁଳି ସଂଯୋଗ ହୋଇଛି, ଭୋଟର ତାଲିକାରେ ନାଁ ରହିବା ସହ, ମ୍ୟୁନିସିପାଲଟିରୁ ଘର ନମ୍ବର ଓ ଆଧାର କାର୍ଡ ବି ରହିଛି। ହେଲେ ଆଜି ଯାଏ ମିଳିନି ପଟ୍ଟା। ଗୁଣପୁର ସହରାଞ୍ଚଳରେ ନୂଆକରି ସାମିଲ ହୋଇଥିବା ଶବର କଲୋନୀର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କାହାଣୀ ଏମିତି।

୨୦୧୮ ମସିହାରେ ଡ୍ରୋନ୍‌ ମାଧ୍ୟମରେ ହୋଇଥିବା ସର୍ଭେରେ କେବଳ ତାଙ୍କ ଘର ବାରିପଟର ଲାଟିନର ଫଟୋ ଆସିଥିବା କହି ତାଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ପୂର୍ଣ୍ଣଚନ୍ଦ୍ର ନୁହେଁ ଶବର ସାହିର ପ୍ରାୟ ୩ଶହରୁ ଅଧିକ ଲୋକେ ସମାନ ସମସ୍ୟା ନେଇ ଆନ୍ଦୋଳନ କରିଛନ୍ତି। ହେଲେ ସରକାରଙ୍କର ଏଥିପ୍ରତି ନିଘା ନାହିଁ।

ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି। ଟାଙ୍ଗରପାଲି ବ୍ଲକର ବେଲକିଡିହି ଗାଁର ଅନେକ ପରିବାର ବର୍ଷ ଧରି ଝାଟି ମାଟି ଘରେ ରହୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ହିତାଧିକାରୀ ଚୟନ ବେଳେ ତାଲିକାରେ ସେମାନଙ୍କ ନାଁ ନଥିବା ଅଭିଯୋଗ ହୋଇଛି।

ଟାଙ୍ଗରପାଲି ବ୍ଲକରେ ଗତ ୨୦୧୭-୧୮ର ୫୦୧ଟି ଘର ଅଧପନ୍ତରିଆ ହୋଇ ରହିଛି। ସେହିପରି ୨୦୧୮-୧୯ ପାଇଁ ଆହୁରି ୮୬୦ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଆଗାମୀ ଯୋଜନାରେ ତଦନ୍ତ କରାଯାଇ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ପିଡି ଡିଆରଡିଏ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି।

ଗରିବଙ୍କ ଉପକାର ଲାଗି ଅନେକ ଯୋଜନା ହେଉଛି, ହେଲେ ସରକାରୀ ଉଦାସିନତା ଯୋଗୁ  ଅନେକ ହିତାଧିକାରୀ ଏଥରୁ ବାଦ ପଡୁଥିବା ଦେଖିବାକୁ ମିଳୁଛି। ଏହାର ପ୍ରତିକାର ଲାଗି ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ଲାଗି ଦାବି ହୋଇଛି।

 

You might also like