ମନରେଗାରେ ମହା ଦୁର୍ନୀତି: କାମ ନକରି ବି ନାଁରେ ଉଠିଛି ଟଙ୍କା?

  • ଗଞ୍ଜାମ ଖଲିକୋଟ ବ୍ଲକରେ ମନରେଗାରେ ମହା ଦୁର୍ନୀତି !
  • ହିତାଧିକାରୀଙ୍କ ଜବକାର୍ଡ ନେଇ ଆତ୍ମସାତ୍ ହେଉଛି ଟଙ୍କା
  • ପ୍ରକଳ୍ପର କାର୍ଯକାରିତାକୁ ନେଇ ଉଠିଲା ପ୍ରଶ୍ନ
  • ଜିଲ୍ଲାପାଳ କହିଲେ କାମର ଅଗ୍ରଗତିକୁ ଦେଖି ହେଉଛି ବିଲ୍

ଗଞ୍ଜାମ-(ଅଶୋକ ବ୍ରହ୍ମା): ଗଞ୍ଜାମ ଖଲିକୋଟ ବ୍ଲକ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବଡ଼ ଘୋଟାଲାର ଅଭିଯୋଗ ହୋଇଛି। ଅନେକ ହିତାଧିକାରୀ ଆଦୌ କାମ କରିନାହାନ୍ତି, ତେବେ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ହରିଲୁଟ୍ ହୋଇଛି। ସେହିପରି ଆଉ କିଛି ହିତାଧିକାରୀଙ୍କଠୁ ଜବକାର୍ଡ ନେଇ ତା ମାଧ୍ୟମରେ ଟଙ୍କା ଆତ୍ମସାତ୍ କରାଯାଇଛି।

ବିନା କାମରେ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଇ ନିଆଯାଇଥିବାରୁ ବ୍ଲକରେ ମନରେଗା ପ୍ରକଳ୍ପ କେମିତି ଚାଲିଥିବ ତାହା ସ୍ପଷ୍ଟ ହେଉଛି। ତେବେ ଆଗର ଅଗ୍ରଗତିକୁ ଦେଖି ହିଁ ବିଲ୍ କରାଯାଏ ବୋଲି ଜିଲ୍ଲାପାଳ କହିଛନ୍ତି।

ଅଭିଯୋଗକାରୀ ଝୁନୁ ରାଉତ କହିଛନ୍ତି ଯେ, ମୋ ସ୍ୱାମୀଙ୍କର କିଛି ନାହିଁ କିନ୍ତୁ ତାଙ୍କ ନାଁରେ ଟଙ୍କା ଉଠିଛି। ସେପଟେ ଆଉ ଜଣେ ଅଭିଯୋଗକାରୀ କହିଛନ୍ତି ଯେ, କାମ କରୁନାହାନ୍ତି କିନ୍ତୁ ତାଙ୍କ ନାଁରେ ଖାତା ହୋଇଛି। ଆମ ଘରେ କୌଣସି ଖାତା ନାହିଁ କି ଏଟିଏମ ନାହିଁ। କିନ୍ତୁ ଆକାଉଂଟରୁ ଟଙ୍କା ଉଠୁଛି ବୋଲି ସେ କହିଛନ୍ତି।

ଗଞ୍ଜାମ ଖଲିକୋଟ୍ ବ୍ଲକ ବଧତ୍ନୂଆପଲି ଗାଁର ମହିଳା ଝୁନୁ ରାଉତଙ୍କ ଅଭିଯୋଗ ଅନୁୟାୟୀ,ସ୍ୱାମୀ ନରସିଂହ ଦୀର୍ଘ ବର୍ଷ ହେଲା ବାହାର ରାଜ୍ୟରେ କାମ କରୁଛନ୍ତି। ତେବେ ତାଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ହିତାଧିକାରୀ ଦର୍ଶାଇ ଉଠିଛି ହଜାର ହଜାର ଟଙ୍କା। ଘରେ କାହାରି ନାଁରେ ବ୍ୟାଙ୍କ ଖାତ୍ ନାହିଁ, କେହି କେବେ ମନରେଗାରେ କାମ ବି କରିନାହାନ୍ତି। ତେବେ ନରସିଂହ ନାଁରେ ଖାତା ଖୋଲାଯାଇ ଟଙ୍କା ହଡପ୍ ହୋଇଛି।

ଅନ୍ଲାଇନରେ ଚେକ୍ କରିବାରୁ ସେ ଏହି ଘୋଟାଲା ବିଷୟରେ ଜାଣିବାକୁ ପାଇଥିବା କହିଛନ୍ତି। ତେବେ ଏହି ଗୋଟିଏ ଅଭଯୋଗ ନୁହେଁ। ଖଲିକୋଟ୍ ବ୍ଲକରେ ଏମିତି ଚଞ୍ଚକତା କରି ଶହ ଶହ ମନରେଗା ହିତାଧିକାରୀଙ୍କ ନାଁରେ ଟଙ୍କା ଆତ୍ମସାତ୍ କରାଯାଇଥିବା ନଜରକୁ ଆସିଛି।

ମନରେଗା ଅର୍ଥ ହରିଲୁଟ୍ ପାଇଁ ହୋଇଛି ବଡ଼ ଧରଣର କାରସାଦି। ହିତାଧିକାରୀ କାମ କରୁନଥିଲେ ମଧ୍ୟ ସେମାନଙ୍କଠୁ ଜବକାର୍ଡ ନେଇ ବ୍ୟାଙ୍କରେ ଖାତା ଖୋଲାଯାଇଛି। ସେହିପରି ଟଙ୍କା ଆସିଲେ ଏମାନଙ୍କୁଠୁ ଟିପ ଚିହ୍ନ ନେଇ ଟଙ୍କା ଉଠାଇ ନିଆଯାଉଛି। ପ୍ରତି ବଦଳରେ କାର୍ଡ ପିଛା ଥରକେ ଶହେ ଟଙ୍କା ଲେଖାଏଁ ଦିଆଯାଉଛି। ସ୍ଥାନୀୟ ଓ୍ୱାର୍ଡ ମେମ୍ବର ହିଁ ଏହି ବେଆଇନ କାମରେ ଲିପ୍ତ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ଏପଟେ ଜବକାର୍ଡଧାରୀ କାମ କରିନାହାନ୍ତି, ମାତ୍ର ସେମାନଙ୍କ ନାଁରେ ଜାଲିଆତି କରି ଟଙ୍କା ଉଠୁଛି। ତେଣୁ ଏଠି ପ୍ରଶ୍ନ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଛି କେମିତି? କାମର ସ୍ଥିତି ନପରଖି ପ୍ରଶାସନ ବିଲ୍ କରୁଛନ୍ତି କେମିତି ? ଖଲିକୋଟ୍ ବ୍ଲକ୍ ମନରେଗା ମହାଘୋଟାଲା ପଛରେ ବଡ଼ ଧରଣର ରାକେଟ୍ କାମ କରୁଥିବା ଅଭିଯୋଗ ହେଉଛି।ତେବେ ଓ୍ୱାର୍ଡମେମ୍ବର ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି କାମର ଅଗ୍ରଗତିକୁ ଦେଖି ବିଲ୍ ହେଉଥିବା ଜିଲ୍ଲାପାଳ କହିଛନ୍ତି।

You might also like