ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି

ଅଭିଯୋଗର ତଦନ୍ତ କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଶିକ୍ଷାଦାନରୁ ନିଯୁକ୍ତି, ମୂଲ୍ୟାୟନରୁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ସବୁ କ୍ଷେତ୍ରରୁ ଅାସିଛି ବ୍ୟାପକ ଅନିୟମିତତାର ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ରାଜ୍ୟର ଏ ଦୁଇ ପ୍ରମୁଖ ଶିକ୍ଷା ମନ୍ଦିର ବିରୋଧରେ ଦୁର୍ନୀତି ନେଇ ପୂର୍ବରୁ ବହୁବାର ଅଭିଯୋଗ ଉଠିଥିଲା। ଏବେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଅାଯାଇଛି ନିର୍ଦ୍ଦେଶ।

ରେଭେନ୍ସା କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲେଖିଥିବା ଏହି ଚିଠି ଅନୁଯାଇ ,ଅାସନ୍ତା ୧୭ ତାରିଖରେ ଅତିରିକ୍ତ ସଚିବ ନିଜେ ରେଭେନ୍ସା ଯାଇ ବିଶ୍ୱବିଦ୍ୟାଳୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ। ପରେ ଉଚ୍ଚଶିକ୍ଷା ସଚିବଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

ଏପଟେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିରୋଧରେ ବି ବହୁ ପୂର୍ବରୁ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇ ଅାସୁଥିଲା। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ବାଏଁ ବାଏଁ ଉଡାଇ ଦେଉଥିଲେ। ହେଲେ ଏବେ ରାଜ୍ୟପାଳ ତଥା କୁଳାଧିପତିଙ୍କ ହସ୍ତକ୍ଷେପ ଓ ପରେ ଉଚ୍ଚ ଶିକ୍ଷା ବିଭାଗର ଏ ଚିଠି ବିଶ୍ୱବିଦ୍ୟାଳୟ ମହାଦୁର୍ନୀତିର ଗୁମର ଖୋଲିବ ବୋଲି ଅାଶା କରାଯାଉଛି।

ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନେଇ ଏଯାଏଁ କୌଣସି ଚିଠି ପାଇନଥିବା କହିଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି।

ବିଳମ୍ବରେ ହେଲେ ବି ରାଜ୍ୟର ଏହି ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବିରୋଧରେ ଅାସିଥିବା ଦୁର୍ନୀତି ଅଭିଯୋଗ ତନନ୍ତ ପାଇଁ ମୁଣ୍ଡ ପୁରାଇଛନ୍ତି ସରକାର। ଏଣେ ଅନିୟମିତତା ଅଭିଯୋଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ ପରିସରକୁ ଅାସିବା ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

You might also like