ମାନବ ଜାତିକୁ ରକ୍ଷା କରିବା ପାଇଁ କରୋନା ସହିତ ଲଢ଼ୁଛନ୍ତି ଦ୍ୱିତୀୟ ଈଶ୍ୱର

ଭୁବନେଶ୍ୱର: କରୋନାର କରାଳ ଛାୟା ମାଡ଼ିଯାଇଛି ସାରା ବିଶ୍ୱକୁ। ସବୁଠି ଆଶା ଆଶଙ୍କାର କଳାବାଦଲ ଛାଇ ଯାଇଛି। ହେଲେ ସେହି ଆଶଙ୍କାର ଅନ୍ଧାର ଭିତରେ ଆଲୁଅ ଦେଖାଉଛନ୍ତି ଦ୍ୱିତୀୟ ଈଶ୍ୱର। କରୋନା ବିରୋଧୀ ମହାଯୁଦ୍ଧରେ ସୈନିକ ସାଜି ଲଢ଼େଇ କରୁଛନ୍ତି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ।

ଭୁବନେଶ୍ୱର ସମ୍ କୋଭିଡ୍-୧୯ ହସ୍ପିଟାଲ୍‌ର ନର୍ସ ମାନସୀ ଜେନା। ପଛରେ ଛାଡ଼ିଆସିଛନ୍ତି ତାଙ୍କ ସୁନ୍ଦର ସଂସାରକୁ। ଘରେ ତାଙ୍କର କୁନିପୁଅକୁ ବି ଅଛି। ଆଜିକୁ ୧୫ ଦିନ ହେଲାଣି ସେ ଘରକୁ ଯାଇନାହାଁନ୍ତି। ହେଲେ ପୁଅ କଥା ଯେବେ ମନେ ପଡ଼ିଯାଉଛି ଲୁହରେ ବତୁରିଯାଉଛି ତାଙ୍କ ମାତୃତ୍ୱ। ତଥାପି ସେ ମାନସିକ ସ୍ତରରେ ଦୃଢ଼ ଅଛନ୍ତି କରୋନା ବିରୋଧରେ ଲଢ଼ିବାକୁ।

ଦେଶବ୍ୟାପୀ ଅନେକ ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ତ୍ୟାଗ ଓ ପାରିବାରିକ ବଳିଦାନ ଭରା ଅନେକ କାହାଣୀ ଅଛି। ତଥାପି କରୋନା ବିରୋଧୀ ମହାଯୁଦ୍ଧର କୁରୁକ୍ଷେତ୍ରରେ ପାଣ୍ଡବ ସାଜି ମୈଦାନକୁ ଓହ୍ଲାଇଛନ୍ତି ସମସ୍ତେ।

ଦିଲ୍ଲୀ ଏମ୍ସରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଯୁକ୍ତ ଡାକ୍ତର ଅମ୍ବିକା। ପ୍ରତି ମୂହୁର୍ତ୍ତରେ ରୋଗୀଙ୍କ ଭିତରେ ସେ ଦେଖୁଛନ୍ତି କରୋନାର ଭୟାବହତା। ତାଙ୍କର ଜଣେ ସହକର୍ମୀ ବି ସଂକ୍ରମିତ ଅଛନ୍ତି। ତାହାରି ଭିତରେ କରୋନା ବିରୋଧରେ ଜାରି ରଖିଛନ୍ତି ମୁକାବିଲା।

ପରିବାର ସମ୍ପର୍କରେ ଯେତେବେଳେ ପଚରାଗଲା ତାଙ୍କୁ, ଆଖିରୁ ଲୁହ ଜକେଇ ଆସିଲା ତାଙ୍କର। ଡାକ୍ତର ଅମ୍ବିକାଙ୍କ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ବିପଦ ସମୟରେ ଯୋଦ୍ଧା ସାଜି ଲଢ଼େଇ ପାଇଁ ଆଗେଇ ଆସିଛନ୍ତି ଏହି ଦ୍ୱିତୀୟ ଈଶ୍ୱର ମାନେ।

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। କିନ୍ତୁ ଦିବସ ପାଳିବାକୁ କାହାର ଉତ୍ସାହ ନାହିଁ କି ଆଗ୍ରହ ନାହିଁ। ଅଛି କେବଳ ବିଶ୍ୱ ଆଗରେ ବିରାଟକାୟ ବିପଦ ଭଳି ଛିଡ଼ା ହୋଇଥିବା କରୋନା ବିରୋଧରେ ଲଢ଼େଇ କରିବାର ଦୃଢ ସଙ୍କଳ୍ପ। ଆଉ ସେହି ସଂକଳ୍ପ ଭିତରେ ରୋଗକୁ ପ୍ରତିହତ କରିବା ପାଇଁ ପ୍ରତିବଦ୍ଧ ଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ଆଗରେ ଋଣୀ ହୋଇଛି ସାରା ବିଶ୍ୱ।

କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମକୁ ସୁରକ୍ଷିତ ରଖିବା ପାଇଁ ଯିଏ ଶତ ଚେଷ୍ଟିତ, ସେହି ଯୋଦ୍ଧାଙ୍କୁ ଆମର ବି କୋଟି କୋଟି ସଲାମ୍।

You might also like