• translate
Sarbeswar
  • ଟିକା ଅଭାବରୁ ରାଜ୍ୟରେ ୭ ଶହ ସେଣ୍ଟର ବନ୍ଦ
  • କେନ୍ଦ୍ରକୁ ୨୫ ଲକ୍ଷ ଟିକା ଦେବାକୁ ଦାବି
  • ଟିକା ଅଭାବର ହେଉଛି ଅପପ୍ରଚାର: ହର୍ଷବର୍ଦ୍ଧନ
  • ଭ୍ୟାକ୍ସିନ୍କୁ ନେଇ ରାଜନୀତିକୁ କଡ଼ା ସମାଲୋଚନା

ଭୁବନେଶ୍ୱର: କରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତା ସହ ଅଭିଯାନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଗାମୀ ୧୦ ଦିନ ଲାଗି ୨୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛି ଓଡ଼ିଶା। ଏପଟେ ଟିକାର ଅଭାବ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ତେଣେ ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟ ଟିକା ବଣ୍ଟନରେ ପାତରଅନ୍ତର ଅଭିଯୋଗ ଆଣିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି।

ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଛି। ସାମୟିକ ଭାବେ ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି। ଶୀଘ୍ର ଟିକା ନପହଞ୍ଚିଲେ କୋଭିଡ୍ ବିରୋଧୀ ଅଭିଯାନ ପ୍ରଭାବିତ ହେବା ଆଶଙ୍କା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ। କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ କୋରାପୁଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଅଭାବରୁ ଦୁଇଦିନ ହେଲା ଟିକାକରଣ ପୁରାପୁରି ଠପ୍ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତକାଲି ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଟିକାର ଅଭାବ ଯୋଗୁଁ ୧ ଲକ୍ଷ ୧୦ ହଜାର ଲୋକଙ୍କୁ ହିଁ ଟିକା ଦିଆଯାଇ ପାରିଥିଲା।

ଏପରିକି କୋରାପୁଟ ଜିଲ୍ଲାରେ ଗତକାଲି ସଂପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଥିଲା। ରାଜ୍ୟରେ ଏବେ ମାତ୍ର ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲଡ୍ ମହଜୁଦ୍ ରହିଛି, ଯାହା ମାତ୍ର ଦୁଇଦିନରେ ସରିଯିବ ବୋଲି ଜଣାପଡିଛି। ତେବେ କୋଭାକ୍ସିନ୍ ଟିକା ୧ଲକ୍ଷ ୧୪ ହଜାର ୪୯୦ ଡୋଜ୍ ରହିଛି। କୋଭାକ୍ସିନ୍ ଟିକା କେବଳ ଭୁବନେଶ୍ୱରରେ ଦିଆଯାଉଥିବାରୁ ଏହା ୧୦ ଦିନ ପର୍ଯ୍ୟନ୍ତ ଏଥରେ କୌଣସି ସମସ୍ୟା ନାହିଁ। ଦିନକୁ ଅଢ଼େଇ ଲକ୍ଷ ଡୋଜ୍ ହିସାବରେ ଆଗାମୀ ୧୦ ଦିନ ଲାଗି ୨୫ ଲକ୍ଷ କୋଭିସିଲଡ୍ ଡୋଜ୍ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ରାଜ୍ୟ ସରକାର। ସେପଟେ ଟିକା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜନୈତିକ ଦଳ।

ସେପଟେ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଦିଲ୍ଲୀ ପ୍ରମୁଖ ରାଜ୍ୟ ଟିକାର ଅଭାବ ନେଇ ଅଭିଯୋଗ କରିଛନ୍ତି। ଟିକା ବଣ୍ଟନରେ ପାତରଅନ୍ତର କରାଯାଉଥିବା ମହାରାଷ୍ଟ୍ର ସମେତ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଏହା ନିନ୍ଦନୀୟ। କେତେକ ରାଜ୍ୟରେ ଟିକା ଅଭାବର ଅପପ୍ରଚାର କରାଯାଉଛି। କିଛି ରାଜ୍ୟ ଟିକାକରଣ କରିବାରେ ଫେଲ୍ ମାରିଥିବାରୁ ମିଥ୍ୟା ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଟୁଇଟ୍ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଟ୍ୱିଟ୍‌ କରି ଭ୍ୟାକ୍ସିନକୁ ନେଇ ହେଉଥିବା ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀଙ୍କ ଛଳନା ଓ ନୈରାଶ୍ୟବାଦର ମୁଖା ଖୋଲିବାର ସମୟ ଆସିଛି ବୋଲି ସେ ଦର୍ଶାଇଛନ୍ତି। ରାଜ୍ୟରେ ପ୍ରାୟ ୧୪ ଶହ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ହୋଇଥିବା ବେଳେ ଏବେ ପ୍ରାୟ ୭ ଶହ ବନ୍ଦ ରହିଛି।

କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ସହ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦଙ୍କ ରିପୋର୍ଟ

Other Stories