କରୋନା ଭାଇରସ୍‌ ଆତଙ୍କ; ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏନେଇ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି ।

ବାହାରୁ ଆସୁଥିବା ଯାତ୍ରୀଙ୍କୁ ଏହି ଡାକ୍ତରୀ ଦଳ ଯାଞ୍ଚ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଗତ ରାତିରେ ଏୟାରପୋର୍ଟରେ ପହଞ୍ଚି ଯାତ୍ରୀଙ୍କୁ ଯା଼ଞ୍ଚ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ ବଡ଼ ମେଡିକାଲ ଗୁଡ଼ିକରେ ଖୋଲାଯାଇଛି ସ୍ୱତନ୍ତ୍ର ଓ୍ୱାର୍ଡ ।

କରୋନା ମୁକାବିଲା ପାଇଁ କଟକ ଏସ୍‌ସିବିରେ ମଧ୍ୟ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲାଯାଇଛି। ୮ଟି ଆଇସିୟୁ ଓ ୪୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲାଯାଇଛି । ଜଣେ ପ୍ରଫେସର ଓ ପଲ୍ୟୁମନାରୀ ବିଭାଗ ୨ ଡାକ୍ତରଙ୍କୁ ଚିକିତ୍ସା ଦାୟିତ୍ୱ ଦିଆଯାଇଛି। ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ବେଡ୍‌ ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ଡାକ୍ତର ମହାରଣା।

ଏହାସହ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରି । ଯଦି କେହି ଏଭଳି ରୋଗରେ ପୀଡିତ ଥିବା ସନ୍ଦେହ କରାଯାଏ, ତେବେ ତୁରନ୍ତ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି।

You might also like