କରୋନା ପାଇଁ ରାଜ୍ୟର ପ୍ରମୁଖ ମନ୍ଦିର ଓ ଧାର୍ମିକ ସ୍ଥଳ ଗୁଡ଼ିକରେ ଲାଗିଲା କଟକଣା
ଭୁବନେଶ୍ୱର: କୋରନା ଭଇରସ୍ରେ ପ୍ରଭାବ ମନ୍ଦିର ଏବଂ ଧର୍ମ ପୀଠଗୁଡ଼ିକ ଉପରେ ବି ପଡ଼ିଛି। ବିଭିନ୍ନ ଧର୍ମ ପୀଠରେ କରୋନା ପାଇଁ କଟକଣା ଜାରି ହୋଇଛି। ମାରାତ୍ମକ କରୋନାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା ଲଗାଯାଇଛି। କୌଣସି ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।
କେବଳ ମଙ୍ଗଳାଙ୍କ ପୀଠ ନୁହେଁ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ବି କଟକଣା ଜାରି କରାଯାଇଛି। ମନ୍ଦିରର ଗମ୍ଭୀରା ଭିତରକୁ ଯିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରଣ କରାଯାଇଛି। ତାସହ ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।
ସେହିଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ୟ କରୋନା ସତର୍କତା ଜାରି ହୋଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସଫା କରିବାକୁ ହ୍ୟାଣ୍ଡଓ୍ୱାଶ୍ ଦିଆଯିବା ସହ ରେଜିଷ୍ଟରରେ ତାଙ୍କ ନାଁ, ଠିକଣା ଓ ଫୋନ ନମ୍ବର ଲେଖି ରଖାଯାଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ନିୟମାବଳୀ ଜାରି ପରେ ଗଜପତି ଜିଲ୍ଲା ଜିରାଙ୍ଗରେ ଥିବା ବୌଦ୍ଧ ମନ୍ଦିରକୁ ବନ୍ଦ କରି ଦିଆଯାଇଛି। ମାର୍ଚ୍ଚ ୩୧ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
କାଳିଆ ଦର୍ଶନରେ ବି କରୋନା କଟକଣା ଲାଗିଛି। ଭକ୍ତଙ୍କୁ ଅରୁଣସ୍ତମ୍ଭ କି ଗରୁଡ଼ସ୍ତମ୍ଭ ଛୁଇଁବାକୁ ମନା କରାଯାଇଛି। ପ୍ରତିଦିନ ଶ୍ରୀକ୍ଷେତ୍ର ପୁରୀ ଓ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ଜମୁଥିବା ଦୃଷ୍ଟିରେ ଏନେଇ କଟକଣା ଜାରି ହୋଇଛି।
ଅରୁଣସ୍ତମ୍ଭ କି ଗରୁଡ଼ସ୍ତମ୍ଭ ଛୁଇଁବାକୁ ଶ୍ରଦ୍ଧାଳୁଙ୍କୁ ମନା ହୋଇଥିବା ବେଳେ ସେବାୟତଙ୍କୁ ମାସ୍କ ପିନ୍ଧିବା ଭଳି କିଛି ନିଷ୍ପତ୍ତି ଛତିଶା ନିଯୋଗ ବୈଠକରେ ହୋଇଛି।
ଦର୍ଶନବେଳେ ଧାଡ଼ିରେ ୨ ଫୁଟ୍ ବ୍ୟବଧାନ ରଖିବେ ଭକ୍ତ। ତାସହ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ବିସ୍ତୃତ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧ ତାରିଖ ଯାଏଁ ଏସବୁ ନିୟମ ପାଳନ ସହ ମନ୍ଦିର ଭିତରେ ଚାଲିବ ଧାଡ଼ି ଦର୍ଶନ।
କୋଣାର୍କ, ଧଉଳି ଓ ଖଣ୍ଡଗିରି ଭଳି ପର୍ଯ୍ୟଟନସ୍ଥଳ ବର୍ତ୍ତମାନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଆସନ୍ତା କିଛି ଦିନରେ ଦକ୍ଷିଣ ଓଡ଼ିଶାର ବଡ଼ ପର୍ବ ପ୍ରସିଦ୍ଧ ଦଣ୍ଡଯାତ୍ରା ଅବସରରେ ଯାତ୍ରା ଓ ମେଳା ଉପରେ ବି କଟକଣା ଲାଗିଛି।
କରୋନା ସଂକ୍ରମଣ ପାଇଁ ପୁରୀରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ସମୁଦ୍ର କୂଳ ଖାଲି କରିବାକୁ ଦୋକାନୀ ଓ ପର୍ଯ୍ୟଟକଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିପରି ଯେଉଁମାନେ ହୋଟେଲରେ ରହିଛନ୍ତି, ସେମାନେ ପଦାକୁ ନ ବାହାରିବା ଲାଗି କୁହାଯାଇଛି। ସଂକ୍ରମଣ ରୋକିବା ଲାଗି ଜିଲ୍ଲା ପୋଲିସ ପକ୍ଷରୁ ସମୁଦ୍ର କୂଳକୁ ଖାଲି କରାଯାଇଛି।
ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଯାଞ୍ଚ ହେଉଛି। ଜିଲ୍ଲାର ପ୍ରବେଶ ପଥ ପିପିଲି ଟୋଲଗେଟ୍ ଠାରେ ପରିବହନ ବିଭାଗ ସ୍ଥାନୀୟ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଉଛି।